ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶା ରାଜନୀତିର ଅନ୍ୟତମ ହାଇକ୍ଲାସ୍ ପଲିଟିକାଲ ଜୋନ୍ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ବିଧାନସଭା ଆସନ । ଶଂଖ ଦଳର ଲହର ଭିତରେ ବି ଏଠୁ ଦୁଇ ଦୁଇ ଥର ଜିତାପଟ ମାରି ଆସୁଛନ୍ତି କଂଗ୍ରେସ ଭେଟେରାନ୍ ନରସିଂହ ମିଶ୍ର । ଏ ରାଜନୈତିକ ପଶାପାଲିରେ ଗତ ଦୁଇଟି ନିର୍ବାଚନରେ ବିଜେଡିରୁ ରାଜପରିବାର ସଦସ୍ୟ ଓ କଂଗ୍ରେସ ଭେଟରାନଙ୍କ ମଧ୍ୟରେ ସୂତେ ସୂତେରେ ଟକ୍କର ହୋଇ ଆସୁଛି । ତେବେ ଏଥର ନିର୍ବାଚନରେ ନରସିଂହ ନିଜେ ନଲଢି ପୁଅକୁ ପେସ୍ କରିବାକୁ ଘୋଷଣା କରିଥିବାରୁ ବଲାଙ୍ଗିରର ରାଜନୀତିରେ ଏବେଠୁ ସସ୍ପେନ୍ସ ବଢୁଛି । ଓଡ଼ିଶାର ସଂଭ୍ରାନ୍ତ ସହର ବଲାଙ୍ଗିର । ରାଜଧାନୀଠୁ ଦୂରତା ଢେର ବେଶି ହେଲେ ବି ରାଜ୍ୟ ରାଜନୀତିରେ ପ୍ରଭାବ କିନ୍ତୁ ବହୁ ଅଧିକ। ଏକଦା ବିଜେଡି ସୁପ୍ରିମୋଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ସିଂହଦେଓ ରାଜପରିବାରର ପଲିଟିକାଲ ବ୍ୟାଟେଲ ଫିଲ୍ଡ ଥିବା ଏ ଆସନ ଏବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗଡ଼ ।
ତେବେ ଏଥର ବଲାଙ୍ଗିରର ଦୃଶ୍ୟପଟ୍ଟ କିଛି ଭିନ୍ନ ଇଙ୍ଗିତ କରୁଥିବା ରାଜନୈତିକ ସମୀକ୍ଷକଙ୍କ ଚର୍ଚ୍ଚା। କାରଣ ନରସିଂହ ଏଥର ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି। ସେ ତାଙ୍କ ସାନ ପୁଅ ସମରେନ୍ଦ୍ରଙ୍କୁ ବିଧାନସଭା ଆସନରେ ପେସ୍ କରିବାକୁ ସ୍ପଷ୍ଟ କରିଥିବା ବେଳେ, ସମରେନ୍ଦ୍ର ବି ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ପୁରା ଜୋସରେ।ଏପଟେ ବିଜେଡି ଭେଟେରାନ୍ ଅନଙ୍ଗ ଉଦୟ ସିଂହଦେଓ ରାଜନୀତିରେ ଏବେ ବି ସକ୍ରିୟ ଥିଲେ ମଧ୍ୟ ଦୁଇ ପୁଅ କଳିକେଶ ଓ ଅର୍କେଶ ନିର୍ବାଚନ ଲଢୁଥିବାରୁ ସେ ନିଜେ ଲଢିବା ଅପେକ୍ଷା ଦୁଇ ପୁଅଙ୍କୁ ପ୍ରମୋଟ କରିବାକୁ ଉଚିତ୍ ମଣିଛନ୍ତି।ସାରା ପଶ୍ଚିମ ଓଡ଼ିଶାରେ ଦବଦବା ସତ୍ତ୍ବେ ବଲାଙ୍ଗିର ବିଧାନସଭା ଆସନରେ କିନ୍ତୁ ଏଯାଏଁ ଆଦୌ ଖାତା ଖୋଲିନଥିବା ବିଜେପି ଏ ଆସନକୁ ନେଇ ସବୁବେଳେ ଆଶାବାଦୀ। କିନ୍ତୁ ଦଳକୁ ଥରୁଟିଏ ବି ମିଳିନି ବିଜୟର ସଫଳତା। ତେବେ ସବୁଥର ଭଳି ଏଥର ବି ଦଳରେ ଗୋଷ୍ଠୀ କନ୍ଦଳ ଜଳ ଜଳ ଦିଶୁଛି।ବଲାଙ୍ଗିର ବିଧାନସଭା ନିବାର୍ଚନ ମଣ୍ଡଳୀ ୨୦୧୪ ମସିହାରୁ କଂଗ୍ରେସ ଅଧିନରେ ଥିଲେ ବି ବ୍ଳକ ଓ ପୌର ପରିଷଦରେ କିନ୍ତୁ ରହିଛି ବିଜେଡିର ଆଧିପତ୍ୟ। ତେବେ ବଲାଙ୍ଗିର ବିଧାନସଭା ଆସନ ପରିବାରବାଦ ରାଜୀନୀତିରୁ ଉର୍ଦ୍ଧ୍ବକୁ ଯାଇପାରୁନଥିବାରୁ ଏହାକୁ ନେଇ ବି ବଢୁଛି ଆଲୋଚନା ଓ ସମାଲୋଚନା ।