ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଉପରେ କାହିଁକି ଏତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାକୁ ନେଇ ନାନା ପ୍ରକାର ପ୍ରଶ୍ନ ସୃଷ୍ଟି ହୋଉଛି l କେୱାଇସି ନିୟମକୁ ଠିକ୍ ଭାବେ ପାଳନ କରାନଯାଇ ବହୁ ସଂଖ୍ୟାରେ ଖାତା ଖୋଲାଯିବା ଏବଂ ସେହି ଖାତାଗୁଡ଼ିକୁ ବ୍ୟବହାର କରି କୋଟି କୋଟି ଟଙ୍କାର କାରବାର କରାଯାଇଥିବାରୁ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କ୍ଷୁବ୍ଧ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କରେ ଗୋଟିଏ ପାନ୍ ନମ୍ବରକୁ ବ୍ୟବହାର କରି ୧୦୦୦ରୁ ଅଧିକ ଖାତା ଖୋଲିବା ଭଳି କାମ କରିଛି। ଅଡିଟ୍ ଲାଗି ରିଜର୍ଭ ବ୍ୟାଙ୍କ ଓ ଅଡିଟର୍କୁ ବ୍ୟାଙ୍କ ଯେଉଁ ଖାତା ଦେଇଥିଲା ସେଥିରୁ ଅସଙ୍ଗତି ଧରାପଡ଼ିଥିଲା।
ରିଜର୍ଭ ବ୍ୟାଙ୍କ ଆଶଙ୍କା କରୁଛି ଯେ କେୱାଇସି ନିୟମ ପାଳନ କରାଯାଇନଥିବାରୁ ଖାତାଗୁଡ଼ିକୁ ମନି ଲଣ୍ଡରିଂରେ ବ୍ୟବହାର କରାଯାଇପାରେ।ଏବିଷୟରେ ରିଜର୍ଭ ବ୍ୟାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୂଚନା ଦେଇଥିବା ବେଳେ ଗୃହ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ତଥ୍ୟ ପଠାଇଛି। ଦରକାର ପଡ଼ିଲେ ଇଡି ତରଫରୁ ପେଟିଏମ୍ ପେମେଣ୍ଟ୍ସ୍ ବ୍ୟାଙ୍କର ତଦନ୍ତ କରାଯିବ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି।ତେବେ ଇଡି ତଦନ୍ତ ସମ୍ପର୍କିତ ରିପୋର୍ଟକୁ ପେଟିଏମ୍ ପକ୍ଷରୁ ଆଜି ଖଣ୍ଡନ କରାଯାଇଛି।
କମ୍ପାନିର ବଜାର ପୁଞ୍ଜିରେ ୨୦୦ କୋଟି ଡଲାରର ହ୍ରାସ ହୋଇସାରିଲାଣି। ଏହାର ସେୟାର ମୂଲ୍ୟ ୩୬% ତଳକୁ ଖସିଛି। ଏହା ସତ୍ତ୍ବେ କମ୍ପାନିର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଆଶାବାଦୀ ରହିଛନ୍ତି ଯେ ଫେବ୍ରୁଆରି ୨୯ ପରେ ସବୁକିଛି ଠିକ୍ ହୋଇଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ଏନେଇ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି l