ଧର୍ମେନ୍ଦ୍ର କରିଛନ୍ତି ମହାପାପ, ଏଭଳି ଟ୍ୱିଟ୍ କରି ଧର୍ମେନ୍ଦ୍ରଙ୍କୁ ସିଧା ଆଟାକ କରିଛନ୍ତି ପ୍ରଣବ 

0

ନୟାଗଡ଼ ( ବିପ୍ଲବୀ ପରିକ୍ରମା ):-ପରୀ ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ପରେ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପରୀ ହତ୍ୟାକାରୀକୁ ବଂଚାଇବା ପାଇଁ ବିଜେପି ହୀନ ଉଦ୍ୟମ କରିଥିବା କଥା ଅଭିଯୋଗ କରିଛନ୍ତି ପ୍ରଣବ । ପରୀକୁ ନ୍ୟାୟ ମିଳିବା ପରେ ସୋସିଆଲ ସାଇଟ ‘ଏକ୍ସ’ରେ ଧର୍ମେନ୍ଦ୍ରଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ପ୍ରଣବ।ସେ କହିଛନ୍ତି ଯେ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଧର୍ମେନ୍ଦ୍ର ହୀନଉଦ୍ୟମ କରିଥିଲେ। ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରିବାକୁ ଉଦ୍ୟମ କରିଥିଲେ। ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ତାଙ୍କ ହୀନକାର୍ଯ୍ୟକୁ ଓଡ଼ିଶାବାସୀ ଦେଖିଛନ୍ତି। ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା।

ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ ବୋଲି କହି ବର୍ଷିଛନ୍ତି ପ୍ରଣବ। ଗତକାଲିର ରାୟ ପରେ ତାଙ୍କ ଅନ୍ତରାତ୍ମା କିଭଳି ତାଙ୍କୁ ଶାନ୍ତିରେ ରଖାଇ ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ। ଆପଣ ଠିକ୍ କରିଛନ୍ତି ନା ଭୁଲ୍ ? ନିରୀହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ମହାପାପ କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ସେଥିପାଇଁ ସେ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମାଆମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ଗତକାଲି ପରୀ ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଥିଲା । ଏଥିରେ ହତ୍ୟାକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ନୟାଗଡ ଚିଲ୍ଡ୍ରେନ୍ କୋର୍ଟ ।

LEAVE A REPLY

Please enter your comment!
Please enter your name here