ଗଜପତି ( ବିପ୍ଲବୀ ପରିକ୍ରମା ):- ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଗତ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୌରାଧ୍ୟକ୍ଷା ଅତି ତରବରିଆ ଭାବେ ଏହା ସର୍ଟ ସର୍କିଟରୁ ହୋଇଥିବା କହିବା ସନ୍ଦେହ ସୃଷ୍ଟି କରୁଛି । ବିନା କୌଣସି ତଦନ୍ତରେ ପୌରାଧ୍ୟକ୍ଷା କେଉଁ ଆଧାରରେ ଏଭଳି ମତ ରଖିଲେ ତାହା ସ୍ପଷ୍ଟ କରିବା ଆବଶ୍ୟକ । ପୌର ପରିଷଦର ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ପୁରୁଣା କୋଠାରେ କାହିଁକି ଫାଇଲ ଗୁଡିକ ରଖାଯାଇଥିଲା ତାହାର ମଧ୍ୟ ତଦନ୍ତ କରାଯିବା ଆବଶ୍ୟକ । ଏହା ସହ ବିଭିନ୍ନ ସମୟରେ ଜବତ ପଲିଥିନ୍ ମଧ୍ୟ ଏହି କୋଠାରେ ରଖାଯାଇଥିଲା । ବିନା ଅଗ୍ନି ନିର୍ବାପକ କୋଠାରେ ବଜତ ପଲିଥିନ୍ ରଖିବା ପାଇଁ କିଏ ଅନୁମତି ଦେଇଥିଲା ତାହାର ମଧ୍ୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟିର ସଦସ୍ୟମାନେ ଦାବି କରୁଛୁ ବୋଲି କଂଗ୍ରେସ କମିଟିର ସଦସ୍ୟମାନେ ଲିଖିତ ଆକାରରେ ଅଭିଯୋଗ ମାନ୍ୟବର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।
ଏହି ଘଟଣା ପଛରେ ଦୁଇ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ବ ହସ୍ତାନ୍ତରକୁ ନେଇ ଉପୁଜିଥିବା ବିବାଦ ବୋଲି କିଛି ଲୋକ କହୁଥିବା ବେଳେ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ହୋଇଥିବା ବିଭିନ୍ନ ଜାଲିଆତି ଫାଇଲକୁ ପୋଡିବା ପାଇଁ ପୌରପରିଷଦର କେତେକ କର୍ମଚାରୀ ଏଭଳି କାଣ୍ଡ କରିଥିବା କେତେକ କହୁଛନ୍ତି । ତେଣୁ ଏହି ଘଟଣା ପଛରେ କେଉଁ କାରଣ ମୁଖ୍ୟତଃ ଦାୟୀ ତାହା ତଦନ୍ତ କରି ସର୍ବସାଧାରଣରେ ରଖିବା ପାଇଁ ଆମେ ଦାବି କରୁଛୁ । ଆସନ୍ତା ୭ଦିନ ମଧ୍ୟରେ ଏହା କରାନଗଲେ ଆମେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁବୋଲି ଚେତାବନୀ ମଧ୍ୟ ଦେଇଛନ୍ତି କଂଗ୍ରେସ କର୍ମୀ ।
ତେବେ ଏହି ଅବସରରେ ବସନ୍ତ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ଗୌରୀ ଶଙ୍କର ପଣ୍ଡା, କଂଗ୍ରେସ ରାଉତ, କେଦାର ନାଥ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା l