ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ଟି ଆସନ ମଧ୍ୟରୁ ୨ଟି ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ତେବେ ଅନ୍ୟ ଗୋଟିଏ ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।ବିଜେଡି ନେତା ଦେବାଶିଷ ସାମନ୍ତରାୟ ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ କଟକ ବାରବାଟୀ ଆସନରୁ ଲଢି ବିଜୟୀ ହେଇଥିଲେ । ହେଲେ ୨୦୧୯ ମସିହାରେ କଂଗ୍ରେସ ନେତା ମହମ୍ମଦ ମୋକିମ୍ ତାଙ୍କୁ ହରାଇ ବିଧାନସଭାକୁ ଯାଇଥିଲେ ।
ତେଣୁ ଦେବାଶିଷଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ସଂସଦ ପଠାଇବାକୁ ଯୋଜନା କରିଛି ବିଜୁ ଜନତା ଦଳ । ଅନ୍ୟପଟେ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ମଧ୍ୟ ରାଜ୍ୟସଭା ଉପହାର ଦେଇଛି ଦଳ । ଗତ କିଛି ବର୍ଷ ଧରି ଶୁଭାଶିଷ ପୁରୀ ରାଜନୀତିରେ ସକ୍ରିୟ ଥିଲେ ।ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ମ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏବେ ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ରହିଛନ୍ତି।