ବିପ୍ଲବୀ ପରିକ୍ରମା ବ୍ୟୁରୋ :- ତୃତୀୟ ରାଜ୍ୟସଭା ପ୍ରାର୍ଥୀକୁ ନେଇ ହଟିଲା ସସ୍ପେନ୍ସ । ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ଆଜି ବିଜେପି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରାଯାଇଛି । ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ହଠାତ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିଲା । ତାଙ୍କର ସମ୍ଭାବ୍ୟ ପ୍ରାର୍ଥିତ୍ୱ ଦାବିଦାର ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା । ଯାହାକି ଏବେ ସତ ହୋଇଛି । ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଦେବ ବିଜେଡି । ପ୍ରେସ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀଙ୍କୁ ସମର୍ଥନ ଘୋଷଣା କରିଛି ବିଜେଡି । ରେଲୱେ ଓ ଟେଲିକମ କ୍ଷେତ୍ରରେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମର୍ଥନ ଘୋଷଣା କରିଛି ବିଜେଡି । ଗତ ୨୦୧୯ରେ ମଧ୍ୟ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ସହ ତାଙ୍କର ରାଜ୍ୟସଭାକୁ ପୁଣିଥରେ ଯିବା ସ୍ପଷ୍ଟ ହୋଇଛି । ବିଜେଡି ପୂର୍ବରୁ ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି । ଉଭୟ ଗତକାଲି ନାମାଙ୍କନପତ୍ର ମଧ୍ୟ ଦାଖଲ କରିଥିଲେ । ସେହିଭଳି ବିଜେଡି ଏବେ ଅଶ୍ୱିନୀଙ୍କୁ ସମର୍ଥନ କରିବା ପରେ ରାଜ୍ୟସଭା ନିର୍ବାଚନ କେବଳ ଔପଚାରିକତା ପାଲଟିଛି । ଘୋଷିତ ୩ ପ୍ରାର୍ଥୀ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି ।ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଉ ବର୍ତ୍ତମାନ ୨୦୨୪ରେ ମଧ୍ୟ ଅଶ୍ୱିନୀଙ୍କୁ ରିପିଟ୍ କରାଯାଉଛି ।