ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପଡୋଶୀ ରାଜ୍ୟ ତେଲେଙ୍ଗାନାରେ ଯେଉଁ ରଣନୀତି କରି କଂଗ୍ରେସ କ୍ଷମତାକୁ ଫେରିଛି, ସେହି ରଣନୀତି ସହ ଓଡିଶାରେ ଆଗକୁ ବଢ଼ୁଛି ରାଜ୍ୟ କଂଗ୍ରେସ । ପ୍ରଥମେ ଶାସନରେ ଥିବା ବିଜେଡି ଓ ବିଜେପି ମଧ୍ୟରେ ପ୍ରତୀକାତ୍ମକ ବାହାଘର କରିବା ପରେ ଏବେ ୫ ଗ୍ୟାରେଣ୍ଟି ଦେବାକୁ ଯୋଜନା କରୁଛି ଦଳ । ଏଥିସହ ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ, ଉଭୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଶେଷ ପ୍ରସ୍ତୁତି କରିଛି କଂଗ୍ରେସ ପ୍ରଚାର କମିଟି ।ଓଡିଶା ଉପରେ ପୁଣି ଥରେ ଫୋକସ୍ କରୁଥିବା କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛନ୍ତି । ତେଲେଙ୍ଗାନା ଢ଼ାଞ୍ଚାରେ ନିର୍ବାଚନ ଜିତିବା ପାଇଁ ଓଡିଶାରେ ବି ୫ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେବ କଂଗ୍ରେସ । ଖୁବଶୀଘ୍ର ରାହୁଲ ଗାନ୍ଧୀ ଓଡିଶା ଆସି ଗ୍ୟାରେଣ୍ଟିର ଘୋଷଣା କରିବେ । ଏଥିସହ ତେଲେଙ୍ଗାନାରେ କଂଗ୍ରେସ ବିଜୟର ରଣନୀତିକାର କୁହାଯାଉଥିବା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି. ଶିବକୁମାରଙ୍କୁ ଓଡିଶା ଆଣି ପ୍ରଚାର କରିବାକୁ ଯୋଜନା କରିଛି ପିସିସି ।
ତେବେ ରାହୁଲ ଗାନ୍ଧୀ ଆସି ଗ୍ୟାରେଣ୍ଟି କଥା ଘୋଷଣା କରିବା ପୂର୍ବରୁ ରାଜ୍ୟ କଂଗ୍ରେସର ନିର୍ବାଚନ ରଣନୀତି କଣ ରହିବ, ସେ ନେଇ ପ୍ରଚାର କମିଟି ବୈଠକରେ ନିଆଯାଇଛି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । କଣ କହି ଲୋକଙ୍କ ପାଖକୁ ଯିବେ ସେଥିପାଇଁ ପ୍ରସ୍ତୁତ ହୋଇଛି ଖସଡା ।ଓଡିଶାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପରେ ବେଶ୍ ଉତ୍ସାହିତ ଅଛି କଂଗ୍ରେସ ଶିବିର । ଆଉ ପୁଣି ଥରେ ରାହୁଲ ଓଡିଶା ଆସିବା ପୂର୍ବରୁ ରାଜ୍ୟ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଦଳର ଛାମୁଆ ନେତା ।