ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନୂଆଦିଲ୍ଲୀରେ ଆଜିଠୁ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । କେମିତି ନିର୍ବାଚନ ପରିଚାଳନା କରିବେ, କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ସେ ନେଇ ଦଳୀୟ ନେତା ମାନଙ୍କୁ ଟିପ୍ସ ଦିଆଯିବ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଉଦଘାଟନ କରିବେ । ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନେତା ଓ କାର୍ଯ୍ୟକତାଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
୧୮ତାରିଖରେ ପ୍ରଧାନମନ୍ତ୍ରୀ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ରଖିବେ । ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ୍ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି । ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ କର୍ମକର୍ତ୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହେଉଛନ୍ତି । ଓଡିଶାରୁ ରାଜ୍ୟ ବିଜେପି ସଭାପତିଙ୍କ ସମେତ ପାଖାପାଖି ୨୮୮ ଜଣ କର୍ମକତା ଏହି ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ସଦସ୍ୟ, ରାଜ୍ୟ ମୁଖପାତ୍ର, ଲୋକସଭା ପ୍ରଭାରୀ ପ୍ରମୁଖ ଅଧିବେଶନରେ ସାମିଲ ହେବେ ।