ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୧ର ସଫଳତା ପରେ ଏବେ ଆଉ ଏକ ମିଶନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଭାରତ ପାଇଁ ଆହୁରି ସହଜ ହେବାକୁ ଯାଉଛି ପାଣିପାଗ ପୂର୍ବାନୁମାନ। କାହିଁକି ନା ଆଜି ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ଇନସାଟ-ଥ୍ରୀ-ଡିଏସ ସାଟେଲାଇଟ୍ର ଉତକ୍ଷେପଣ ହେବ। GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ। ଏହି ‘INSAT-3DS’ ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।
GSLV-F14 ରକେଟ୍ ଇନସାଟ-ଥ୍ରୀ-ଡିଏସ ସାଟେଲାଇଟ୍କୁ ଉତ୍କ୍ଷେପଣର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷ ପଥରେ ପହଞ୍ଚାଇବ । ଏହି ସାଟେଲାଇଟ୍ ୧୭୦ କିମି ପେରିଜି ଓ ୩୬୬୪୭ କି.ମି. ଆପୋଜି ଯୁକ୍ତ ଅଣ୍ଡାକାର ଜିଟିଓ କକ୍ଷରେ ପରିକ୍ରମା କରିବ । ଏହି ସାଟେଲାଇଟ୍ର ଓଜନ ୨୨୪୭ କିଲୋଗ୍ରାମ୍ ରହିଛି । କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି । ଏଥିରେ ୬ ଚ୍ୟାନେଲ ଇମେଜର ଓ ୧୯ ଚ୍ୟାନେଲ ସାଉଣ୍ଡର ମେଟ୍ରୋଲୋଜି ପେଲୋଡ୍ ଲାଗିଛି।