ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ପକ୍ଷରୁ ଚନ୍ଦନ କାଠ ଜବତ କରାଯାଇ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଜଣାପଡିଛି । ଆଜି ଗାରବନ୍ଧ ଥାନା ଅଧିକାରିଣୀ ରିନାରାଣୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏସ୍ଆଇ ଲୋକନାଥ ବେହେରା, କନେଷ୍ଟବଳ ଅନୁ ବଡରଇତ ପ୍ରମୁଖ ପେଟ୍ରୋଲିଂ କରୁଥିବା ସମୟରେ ରମ୍ପା ପଞ୍ଚାୟତ ଅନ୍ତର୍ଗତ ପୋଡା ସାହି ପଟରୁ ଏପି ୩୯ ଟି ୩୯୮୧ ନମ୍ବର ବିଶିଷ୍ଟ ଏକ ଅଟୋ ଯାଉଥିଲା ।
ସନ୍ଦେହରେ ଅଟୋକୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଦୁଇ ଗୋଟି ବସ୍ତାରେ ଚନ୍ଦନ କାଠ ଦେଖିବାକୁ ପାଇଥିଲେ । ଏହା ସହ ଅଟୋରେ ବସିଥିବା ତିନି ଅଭିଯୁକ୍ତ ଯଥା ପାରଳାଖେମୁଣ୍ଡି ସହର ରାମନଗର ଶବର ସାହିର ଆପାରାଓ ଶବର (୫୨), ଗୌରୀ ଶଙ୍କର ଶବର (୨୦) ଏବଂ ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ କେଶରାଗୁଡା ଗ୍ରାମର ହେରଦା ରଇତ (୨୦)ଙ୍କୁ ପଚରାଉଚରା ବେଳେ ଏମାନେ ଚନ୍ଦନ କାଠ ଚାଲାଣ କରୁଥିବାର ସ୍ବିକାର କରିଥିଲେ ।
ଏହାପରେ ଗାରବନ୍ଧ ବନପାଳ ଦୁର୍ଯ୍ୟୋଧନ ଜେନାଙ୍କୁ ଡକାଯାଇ କାଠ ଗୁଡିକୁ ଯାଞ୍ଚ ତଥା ଚିହ୍ନଟ କରାଯାଇଥିଲା । ଚିହ୍ନଟ ପରେ ଏହା ଚନ୍ଦନ କାଠ ବୋଲି ଜଣାପଡିଥିଲା । ପରେ ଏହି ତିନିଜଣଙ୍କୁ ଗିରଫ କରିବା ସହ ପ୍ରାୟ ୬୧କେଜି ଚନ୍ଦନ କାଠକୁ ଜବତ କରାଯାଇଥିବାର ଥାନା ସୂତ୍ରରୁ ପ୍ରକାଶ । ଏନେଇ ୧୮/୨୪ରେ ଏକ ମାମଲା ରୁଜୁ କରାଯାଇ ଏହାର ତଦନ୍ତ ଦାୟିତ୍ବ ଏସ୍. କେ. ବେହେରାଙ୍କୁ ଦିଆଯାଇଥିବାର ଥାନା ଅଧିକାରିଣୀ ଶ୍ରୀମତୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।