ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର 2 ନମ୍ବର ୱାର୍ଡ ଅନ୍ତର୍ଗତ ତେଲି ସୁଣ୍ଢି ସାହି ଓ ତେଲିମେଲା ସାହିର ଦୁଇ ଜଣ ନାବାଳକ ଘରୁ କେଉଁ ଆଡେ ପଳାଇଯାଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଉଭୟଙ୍କ ନାମ ଯଥା ରୋହିତ କୁମାର ସାହୁ (୧୪) ଏବଂ ଏମ୍. ପବନକୁମାର (୧୪) ବୋଲି ଜଣାପଡିଥିବା ବେଳେ ଉଭୟେ ଅଲଗା ଅଲଗା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ରୋହିତ ମହେନ୍ଦ୍ରଗିରି ପୌର ସରକାରୀ ବିଦ୍ୟାଳୟରେ ପଢୁଥିବା ବେଳେ ପବନ କୁମାର ଜେଏନଭି ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।
ଘଟଣାରୁ ପ୍ରକାଶ ଯେ, ୨୦.୦୨.୨୦୨୪ ତାରିଖ ବିଳମ୍ବିତ ରାତିରେ ଦୁଇ ସାହିର ତଥା ଆମନା ସାମନାରେ ଥିବା ଘରରୁ କେଉଁ ଆଡେ ଚାଲିଯାଇଥିବାର ପ୍ରକାଶ କରିଛନ୍ତି ଦ୍ବୟ ନାବାଳକଙ୍କ ପିତା । ଏହି ଦୁଇ ଜଣ ବିଳମ୍ବିତ ରାତ୍ର ପ୍ରାୟ ୧୧.୩୦ ଘଣ୍ଟା ସମୟରେ ପାଠ୍ୟପୁସ୍ତକ ମଗାମଗି କରୁଥିବାର ପରିବାର ଲୋକେ କହିଛନ୍ତି । ଏହାପରେ କେଉଁଆଡେ ଚାଲିଯାଇଥିବାର ସନ୍ଦେହ କରୁଛନ୍ତି ପରିବାର ଏବଂ ସାହି ଲୋକେ । ଘରୁ ଏମାନେ କୌଣସି ଟଙ୍କା କିମ୍ବା ସାମଗ୍ରୀ ନେଇ ନଥିବା ବେଳେ ରୋହିତ ସଞ୍ଚିତ ରଖିଥିବା ମାଟିରେ ନିର୍ମିତ ସଞ୍ଚିତ ପାତ୍ରକୁ ନେଇଯାଇଛନ୍ତି । ସେହିପରି ପବନକୁମାର କିଛି ପୋଷାକ ନେଇଥିବାର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତେବେ ଏମାନେ କେଉଁ ଆଡେ ଗଲେ, କୁଆଡେ ଗଲେ କାହାରି ପାଖରେ କିଛି ଖବର ନାହିଁ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ରୋହିତଙ୍କ ପିତା ଚନ୍ଦ୍ର ଶେଖର ସାହୁ ଲିଖିତ ଅଭିଯୋଗ କରିଛନ୍ତି ।
ଅନ୍ୟଜଣେ ନାବାଳକ ପବନଙ୍କ ପିତା ଏମ୍. ଗଣେଶ ଯିଏକି ହୋମଗାର୍ଡ ଭାବେ କାର୍ଯ୍ୟକରନ୍ତି ସେ ଲିଖିତ ଅଭିଯୋଗ କରିବି ଏବଂ ଖୋଜାଖୋଜି କରୁଛି ବୋଲି କହିଛନ୍ତି । ଉଭୟଙ୍କ ପିତା ତଥା ପରିବାର ଲୋକେ ସମଗ୍ର ସହର ସମେତ ସାହି ପଡିଶା, ନିକଟ ସମ୍ପର୍କିୟ, ସାଙ୍ଗ ସାଥିଙ୍କୁ ପଚରା ଉଚରା କରି ଖୋଜା ଖୋଜି କରୁଛନ୍ତି । ତେବେ ଦୁଇ ଦିନ ହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନାବାଳକ ଦ୍ବୟଙ୍କ କୌଣସି ପତ୍ତା ମିଳିପାରି ନଥିବାର ଜଣାପଡିଛି । ନିଜ ନିଜ ପୁଅଙ୍କ ନିଖୋଜକୁ ନେଇ ଉଭୟଙ୍କ ପରିବାର ଲୋକେ କାନ୍ଦବୋବାଳି କରୁଥିବା ଦୃଶ୍ୟକୁ ଦେଖିଲେ ଯେ କୌଣସି ବ୍ୟକ୍ତିର ହୃଦୟ ଶୀଥିଳ ହୋଇପଡୁଛି । ଦୁଇ ଦିନ ହେଲା ଏମାନେ ନ ଖାଇ ନପିଇ ନିଜ ନିଜ ପୁଅଙ୍କୁ ଖୋଜୁଛନ୍ତି । ଯାହାକୁ ପାରିଲା ତାକୁ ପୁଅକୁ ଖୋଜି ଆଣିଦିଅ ବୋଲି ଆକୁଳ ନିବେଦନ କରୁଛନ୍ତି । ରୋହିତ ଓଡିଆ, ହିନ୍ଦି ଓ ତେଲୁଗୁ ଜାଣି ଥିବା ବେଳେ ପବନ ମଧ୍ୟ ସମାନ ଭାଷା ଜାଣିଛନ୍ତି ।
ଯେ କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କୁ ଦେଖିଲେ ତୁରନ୍ତ ନିକଟସ୍ତ ପୋଲିସ ଷ୍ଟେସନ କିମ୍ବା ୬୩୭୨୩୬୬୩୫୨/୭୦୯୩୪୩୫୬୨୧ ଯୋଗାଯୋଗ କରିବାକୁ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ଯେ, ଲିଖିତ ଅଭିଯୋଗ ପାଇଛୁ । ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ।