ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ସହରରେ ନିର୍ମାଣ ହୋଇଛି ଦେଶର ସର୍ବବୃହତ ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର। ଖୁବ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ବ୍ରହ୍ମପୁରକୁ ଭାରୋତ୍ତୋଳନ କ୍ରୀଡ଼ାର ପ୍ରାଣକେନ୍ଦ୍ର କୁହାଯାଉଥିବା ବେଳେ ଏହି ପ୍ରଶିକ୍ଷଣ କେନ୍ଦ୍ର କେବଳ ସ୍ଥାନୀୟ ନୁହଁ, ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳର ଖେଳାଳିଙ୍କ ପାଇଁ ଲାଭଦାୟକ ହେବ ବୋଲି କୁହାଯାଉଛି। ଦୀର୍ଘ ଦିନ ହେଲା ଏହି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ହୋଇସାରିଲାଣି। କେତେକ କାରଣ ଯୋଗୁ ଉଦଘାଟନ ହୋଇପାରୁନଥିଲା। ଆସନ୍ତା ସପ୍ତାହରେ ଏହା ଉଦଘାଟନ ହେବ ବୋଲି ସୂଚନା ମିଳିଛି।
କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଭିନିଲ କ୍ରୀଷ୍ଣାଙ୍କ ତରଫରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ସେ ପ୍ରକାଶ କରିଛନ୍ତି ଯେ, ବ୍ରହ୍ମପୁରରେ ନିର୍ମିତ ହୋଇଥିବା ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର ହେଉଛି ଦେଶର ସର୍ବବୃହତ। ଏଠାରେ ୩୦ଟି ପ୍ଲାଟଫର୍ମ ରହିଛି, ଯାହା ଅନ୍ୟ କୌଣସି ସ୍ଥାନରେ ନାହିଁ। ଏକ ସମୟରେ ୩୦ଜଣ ଖେଳାଳି ପ୍ରଶିକ୍ଷଣ ନେବା ସହିତ ପ୍ରତିଯୋଗିତା କ୍ଷେତ୍ରରେ ମଧ୍ୟ ସହାୟକ ହେବ। ସେହିଭଳି ଏଠାରେ କ୍ରୀଡ଼ା ଛାତ୍ରାବାସ ରହିଛି।
ଛାତ୍ରାବାସରେ ୨ଶହ ଖେଳାଳିଙ୍କ ରହିବା ଏବଂ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି। ଭାରୋତ୍ତୋଳନ କ୍ଷେତ୍ରରେ ଗଞ୍ଜାମ ଜିଲାର ଅବଦାନକୁ ସଚିବ ଭିନିଲ କ୍ରୀଷ୍ଣା ପ୍ରଶଂସା କରିଛନ୍ତି। ଏହି ଅବଦାନ ପାଇଁ ଏଭଳି ଏକ ପ୍ରଶିକ୍ଷଣ କେନ୍ଦ୍ର ଭେଟି ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଭୁବନେଶ୍ବର ଠାରେ ଉଚ୍ଚ ଦକ୍ଷତାସଂପର୍ଣ୍ଣ କେନ୍ଦ୍ର ସ୍ଥାପନ କରାଯାଇଛି। ସେଠାରେ ବିଦେଶୀ କୋଚ୍ଙ୍କ ତତ୍ବବଧାନରେ ତାଲିମ ପ୍ରଦାନ କରାଯାଉଛି। ଫଳରେ ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାଗୁଡ଼ିକରେ ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସଫଳତା ପରେ ବର୍ତ୍ତମାନ ବ୍ରହ୍ମପୁର ଷ୍ଟାଡିୟମ ପରିସରରେ ମଧ୍ୟ ଆଉ ଏକ ଉଚ୍ଚ ଦକ୍ଷତାସଂପର୍ଣ୍ଣ କେନ୍ଦ୍ର ସ୍ଥାପନ ହୋଇଛି। ଉଦଘାଟନ ପରେ ଏହା କାର୍ଯ୍ୟକାରୀ ହେବ। ତାଲିମ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।
ଯେଉଁ ୩୦ଟି ପ୍ଲାଟଫର୍ମ ରହିଛି, ସେଥିରୁ ୨୯ଟିରେ ଖେଳାଳିମାନେ ଅଭ୍ୟାସ କରିବାକୁ ଥିବା ବେଳେ ଆଉ ଗୋଟିଏ ପ୍ଲାଟଫର୍ମ ପ୍ରତିଯୋଗିତା ପାଇଁ ବ୍ୟବହାର କରାଯିବ। ଭାରତର ଅନ୍ୟ ଯେଉଁ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର ରହିଛି, ସେଠାରେ ୧୫ରୁ ୨୦ଟି ପ୍ଲାଷ୍ଟଫର୍ମ ରହିଛି। ହେଲେ ବ୍ରହ୍ମପୁରରେ ଏହି ସଂଖ୍ୟା ଢ଼େର୍ ଅଧିକ ରହୁଛି। ସେହିଭଳି ବିଦେଶୀ କୋଚ୍ଙ୍କୁ ଆଣିବା ପାଇଁ ମଧ୍ୟ ଯୋଜନା ରହିଛି। ମୋଟ ୧୦ ଜଣ କୋଚ୍ଙ୍କୁ ନିଯୁକ୍ତି ମିଳିବ। ସେଥିରେ ଜଣେ ବିଦେଶୀ ଏବଂ ୯ ଜଣ ଭାରତୀୟ କୋଚ୍ ରହିବେ। ଏଥି ସହିତ ନ୍ୟୁଟ୍ରିସିୟନ, ଫିଜିଓଥେରାପିଷ୍ଟ ଏବଂ ଜଣେ ଔଷଧ ବିଶେଷଜ୍ଞ ଡାକ୍ତର ମଧ୍ୟ ରହିବେ।
ଯାହା ଫଳରେ ବ୍ରହ୍ମପୁରର ଖେଳାଳିମାନେ ଏଠାରେ ଆନ୍ତର୍ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଗ୍ରହଣ କରିପାରିବେ। ଆଗାମୀ ଦିନରେ ଢ଼େଙ୍କାନାଳ ଠାରେ ମଧ୍ୟ ଆଉ ଏକ ଉଚ୍ଚ କ୍ଷମତାସଂପୂର୍ଣ୍ଣ କେନ୍ଦ୍ର ଖୋଲିବାକୁ ଯାଉଛି। ଏସବୁ ବ୍ୟତିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। କିନ୍ତୁ ଛାତ୍ରାବାସ ବ୍ୟବସ୍ଥା ରହିବ ନାହିଁ। ଏସବୁ କେନ୍ଦ୍ରଗୁଡ଼ିକରେ କୋଚ୍ ଭାବେ ପୂର୍ବତନ ଖେଳାଳିଙ୍କୁ ନିୟୋଜନ ପାଇଁ ଯୋଜନା ରହିଥିବା ସୂଚନା ମିଳିଛି।