ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେଉଁ ନିର୍ବାଚନମଣ୍ଡଳୀରୁ କାହାକୁ ମିଳିବ ଟିକେଟ? କାହା ଉପରେ ଭରସା କରିବେ ସୁପ୍ରିମୋ? ଟିକେଟ ରେସରେ ଆଗରେ କିଏ? କିଏ ବାଦ ପଡିବେ ଏଭଳି ଆଶା ଓ ଆଶଙ୍କା ଭିତରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୋସିଆଲ ମିଡିଆର ଏକ ପୋଷ୍ଟ ବିଜେଡି ନେତାଙ୍କ ହାର୍ଟବିଟକୁ ବଢ଼ାଇ ଦେଇଛି । କାରଣ, ପ୍ରଣବ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଟିକେଟ ଆଶାୟୀ ଆବେଦନ କରି ସାରିଲେଣି । ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଜାତୀୟ ରାଜନୈତିକ ଦଳର ନେତା ଏବଂ ଅନେକ ପେଶାଦାର ବ୍ୟକ୍ତି ।
ତେବେ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିବା ପରେ, ରାଜନୈତିକ ପାଣିପାଗ ଉଷ୍ଣ ହେଇଛି । ଆଲୋଚନା ହେଉଛି, ଗୋଟିଏ ଗୁଳିରେ ପ୍ରଣବ ଦୁଇଟି ଶିକାର କରିବା ପାଇଁ ଚାହିଁଛନ୍ତି । ଜାତୀୟ ରାଜନୈତିକ ଦଳର କେଉଁ କେଉଁ ନେତା ବିଜେଡି ଟିକେଟ ପାଇଁ ଆବେଦନ କରିଛନ୍ତି ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ୨୦୨୪ରେ ପୁଣି ବିଜେଡି କ୍ଷମତାକୁ ଆସିବ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ପ୍ରଣବ । ଲେଖିଛନ୍ତି, ପଞ୍ଚାୟତ ନିର୍ବାଚନ ଭଳି ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣି ଥରେ ବିଜୟୀ ହେବ । ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ସରକାର ଗଢ଼ିବେ ।
ଅନ୍ୟପଟେ ବିଜେଡିର ଆଶାୟୀଙ୍କ ସଂଖ୍ୟା ବଢ଼ୁଥିବାବେଳେ, ବିଜୟ ପାଇଁ ନେତାଙ୍କ ଦୃଢ଼ୋକ୍ତିକୁ ନେଇ ବିରୋଧୀ କଟାକ୍ଷ କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହୋଇନି । ନବୀନ ନିବାସରେ ଟିକେଟ ଆଶାୟୀଙ୍କ ଭିଡ ମଧ୍ୟ ଲାଗିନି । କିନ୍ତୁ ତା ପୂର୍ବରୁ ୧୦ ହଜାର ଆଶାୟୀ ଟିକେଟ ପାଇଁ ଆବେଦନ କଲେଣି ବୋଲି ସୂଚନା ଦେଇଛନ୍ତି ପ୍ରଣବ । ତେଣୁ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।