ସମ୍ବଲପୁର( ବିପ୍ଲବୀ ପରିକ୍ରମା ):- ନିର୍ବାଚନ ପାଖେଇ ଆସୁଥିବା ବେଳେ ଘନଘନ ସମ୍ବଲପୁର ଗସ୍ତ କରୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ କି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ବିଧାୟକ ରବି ନାରାୟଣ ନାୟକଙ୍କ ମନ୍ତବ୍ୟ ପରେ ସାଧାରଣରେ ଏଭଳି ପ୍ରଶ୍ନ ଉଙ୍କିମାରିଛି । ଆସନ୍ତା ସାଧାରଣ ନିର୍ବାଚନରେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର ପ୍ରଧାନ । ସେ ଲୋକଙ୍କ ସହ ମିଶୁଛନ୍ତି । ଲୋକଙ୍କ କଥା କହୁଛନ୍ତି । ସମସ୍ତଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରହିଛି ସମବେଦନା । ଏହା କହିଛନ୍ତି ପୂର୍ବତନ ବିଧାୟକ ରବି ନାରାୟଣ ନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ । ଧନୁଯାତ୍ରାର ଉଦଯାପନୀ ଦିବସରେ ଅତିଥି ଭାବେ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା ।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାଗେଡିଆରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ପରୋକ୍ଷରେ ସୂଚନା ଦେଇଥିଲେ ଧର୍ମେନ୍ଦ୍ର । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧର୍ମେନ୍ଦ୍ର କହିଥିଲେ ଯେ, ସେହି ପଟରୁ ଲଢିବା ନେଇ ସେ ପାର୍ଟି ନିକଟରେ ଦରଖାସ୍ତ ଦେଇଛନ୍ତି ।ତେବେ ସମ୍ବଲପୁରରେ ଏଥର ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଜୋରଦାର ଆଲୋଚନା ହେଉଥିବା ବେଳେ ସମ୍ବଲପୁରରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଦେଇଛି ।