ରାସ୍ତା ନିର୍ମାଣ ନ ହେଲେ ଭୋଟବର୍ଜନ ଚେତାବନୀ ଦେଲେ ଦୁଇ ବ୍ଲକ ସୀମାନ୍ତ ଅଞ୍ଚଳବାସୀ   

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଖଳା ଗ୍ରାମକୁ ତିନି ଦଶନ୍ଧିରୁ ଉର୍ଦ୍ଧ ସମୟ ହେଲା ମାତ୍ର ୭୦୦ମିଟର ରାସ୍ତା ନିର୍ମାଣ ହୋଇପାରୁ ନଥିବାରୁ ଭୋଟବର୍ଜନ ଚେତାବନୀ ଦେଇଛନ୍ତି ଦୁଇ ବ୍ଲକର ସୀମାନ୍ତ ଅଞ୍ଚଳବାସୀ । ଆଜି ଏ ନେଇ ଉଭୟ ବ୍ଲକ ଯଥା ଗୋଷାଣି ଓ ଗୁମ୍ମାର ସୀମାନ୍ତ ଅଞ୍ଚଳର ପାଞ୍ଚ ଖଣ୍ଡ ଗ୍ରାମର ଶତାଧିକ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥିବାର ଦେଖିବାକୁ ମିଳିଥିଲା ।

ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଭେଟି ସମସ୍ୟାର ସମାଧାନ ଲାଗି ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଗ୍ରାମବାସୀଙ୍କୁ କହିଥିଲେ ଯେ, ଚନ୍ଦନଖଳା ଗ୍ରାମ୍ୟରାସ୍ତା ପରିଦର୍ଶନ କରି ତୁରନ୍ତ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯିବ । ଅନ୍ୟପକ୍ଷରେ, ରାସ୍ତା ନ ହେଲେ ଚଳିତ ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଜଣାଇଛନ୍ତି ।

ଗ୍ରାମବାସୀଙ୍କ କହିବା ମୁତାବକ ଏହି ରାସ୍ତା ଗତ ୩୦ବର୍ଷ ପୂର୍ବେ ମାଟି ରାସ୍ତା ଭାବେ ନିର୍ମିତ ହୋଇଥିଲା । ଏହାପରେ ଆଉ ରାସ୍ତା ନିର୍ମାଣ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ପାରିନଥିବାର କହିଛନ୍ତି ।

ଗତ ୨୦୧୮-୧୯ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୨ଲକ୍ଷ ଟଙ୍କା ବ୍ୟୟବରାଦରେ ଟେଣ୍ଡର ହୋଇଥିଲା । ହେଲେ ଠିକାଦାର ଜଣକ ଟେଣ୍ଡର ପାଇଥିଲେ ମଧ୍ୟ କାମ ନ କରି ଛାଡିଦେଇଥିବାର ପ୍ରକାଶ କରିଛନ୍ତି ।ମାତ୍ର ୭୦୦ ମିଟର ରାସ୍ତା ନିର୍ମାଣ ହୋଇପାରୁ ନଥିବା ଯୋଗୁଁ ଉଭୟ ବ୍ଲକର ପ୍ରାୟ ଦଶରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଜାତାୟତରେ ନାନାଦି ସମସ୍ୟା ଦେଖାଦେଉଛି ।

ଏହି ଗ୍ରାମ୍ୟ ରାସ୍ତାରେ ଗୋଷାଣି ବ୍ଲକର ୧୦ଗ୍ରାମକୁ ସଂଯୋଗ କରୁଛି ସେହିଭଳି ଗୁମ୍ମା ବ୍ଲକର ଲୋକେ ଗୋଷାଣି ବ୍ଲକର ଆଦି ଗ୍ରାମାଞ୍ଚଳକୁ ଯିବା ପାଇଁ ସ୍ୱଳ୍ପଦୂରତା ହେଉଥିବାରୁ ଏହି ରାସ୍ତା ଉପରେ ମୁଖ୍ୟତଃ ନିର୍ଭର କରିଥାନ୍ତି । ଉଭୟ ବ୍ଲକର ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।

LEAVE A REPLY

Please enter your comment!
Please enter your name here