ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ସାଧାରଣ ନିର୍ବାଚନ ପାଖେଇ ଆସୁଛି । କେତେବେଳେ ବି ନିର୍ବାଚନୀ ବିଗୁଲ ବାଜିପାରେ । ଏହାପୂର୍ବରୁ ସାରା ଦେଶରେ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି । ଓଡ଼ିଶାରେ ମଧ୍ୟ ଦଳ ଅବଦଳବଦଳ ଚାଲିଛି । ବିଜେଡ଼ି, କଂଗ୍ରେସ ଛାଡି ବିଜେପି ମୁହାଁ ହେଉଛନ୍ତି ଅନେକ ବରିଷ୍ଠ ନେତା l ତେବେ ଏହାରି ଭିତରେ ବିଜେଡିରୁ ଇସ୍ତଫା ଦେଲେ ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି । ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତେବେ ଦଳରେ ଅବହେଳା ଓ ବରିଷ୍ଠ ନେତା କର୍ମୀଙ୍କୁ ଅଣଦେଖା କରାଯାଉଥିବା ଯୋଗୁଁ ବିଜେଡି ଛାଡିଥିବା କହିଛନ୍ତି ପୂର୍ବତନ ବିଧାୟକ ସୋଡ଼ି । ଆଜି(ରବିବାର) ସେ ନିଜର ବହୁ ସମର୍ଥକ ଓ କର୍ମୀଙ୍କ ସହ ବିଜେପିରେ ସାମିଲ ହେବେ । ୨୦୦୯ ମସିହାରେ ସୋଡ଼ି ବିଜେଡି ଟିକେଟରେ ମାଲକାନଗିରି ବିଧାୟକ ଭବେ ନିର୍ବାଚିତ ହୋଇଥିଲେ । ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ମାଲକାନଗିରିର ବିଧାୟକ ଥିଲେ । ୨୦୧୯ରେ ଦଳ ତାଙ୍କୁ ପୁଣିଥରେ ଟିକେଟ ଦେଇଥିଲା ।
କିନ୍ତୁ ସେଥର ନିର୍ବାଚନରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏବେ ଦଳରେ ଅବହେଳା, ବରିଷ୍ଠ କର୍ମୀଙ୍କୁ ଅଣଦେଖା ଓ ଦଳୀୟ କାର୍ଯ୍ୟରେ ସାମିଲ ନକରାଯିବା ଯୋଗୁଁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଆଜି ବିଜେପିରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି l ତେବେ ଗତ କିଛି ଦିନ ମଧ୍ୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପ୍ରଦୀପ ପାଣିଗ୍ରାହୀ, କଂଗ୍ରେସର ଉମେଶ ଜେନା ପ୍ରମୁଖ ନେତା ବିଜେପିରେ ମିଶିଥିବା ବେଳେ ଏବେ ମୁକୁନ୍ଦ ସୋଡି ଓ ଅରବନ୍ଦି ଢାଲି ମଧ୍ୟ ପଦ୍ମ ଧରିବେ ।