ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଛିଡୁଛି ବିଜେଡି, ବଢୁଛି ବିଜେପି । ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । ସେହିପରି ୪ ତାରିଖରେ ପଦ୍ମ ଧରିବେ ଧାମନଗରରେ ବିଜେଡିକୁ ପାନେ ଦେଇଥିବା ବିଦ୍ରୋହୀ ନେତା ରାଜୁ ଦାସ ।ବିଜେଡିରେ ଏବେ ଘଳିଆ ପଡ଼ିଛି, ଆଗକୁ ଘାଇ ହେବ । କାରଣ ନେତାମାନେ ଦଳରେ ରୁନ୍ଧି ହୋଇଯାଇଛନ୍ତି ବୋଲି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କହିଥିବାବେଳେ ବିଜେଡି ରଖିଛି ଜବାବ । ନିର୍ବାଚନ ଯେତିକି ପାଖୋଉଛି ଶଙ୍ଖ ପାର୍ଟିର ପୁରୁଖା ନେତାଙ୍କ ପଦ୍ମ ପୋଖରୀକୁ ଡେଇଁବାର ଧାରା ସେତିକି ଜୋର ଧରିଛି ।
ଗତକାଲି ବିଜେଡି ଛାଡ଼ିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିବା ଦର୍ଶାଇ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ଇସ୍ତଫାପତ୍ର । ତା’ସହ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି ଗଣମାଧ୍ୟମକୁ ଖୋଲାଖୋଲି ପ୍ରତିକ୍ରୟା ଦେଇଛନ୍ତି ।ସେମିତି ଆସନ୍ତା ୪ ତାରିଖରେ ପଦ୍ମ ଧରିବାକୁ ଯାଉଛନ୍ତି ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ ।ଇଏ ସେହି ରାଜୁ ଦାସ- ଯିଏ ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ । ବିଜେଡି ତାଙ୍କୁ ଟିକଟ୍ ନଦେଇ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ ରାଜୁ । ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିବାରୁ ବିଜେଡି ତାଙ୍କୁ ନିଲମ୍ବିତ କରିଥିଲା ।
ହେଲେ ନିର୍ବାଚନ ଲଢି ସେ ବିଜେଡି ଭୋଟ୍ ବିଭାଜନ କରିଦେବାରୁ ବିଜେପି ଧାମନଗର ଗଡ଼ ବଜାୟ ରଖିବା ସହ ବିଜୁ ଜନତା ଦଳର ଉପନିର୍ବାଚନ ଅପରାଜେୟ ରେକର୍ଡରେ ବି ବ୍ରେକ୍ ଲଗାଇ ପାରିଥିଲା ।ଗତ ୧୦ ଦିନ ଭିତରେ ବିଜେପିରେ ସାମିଲ ହେଲେଣି ୫ ବଡ଼ ଚେହେରା । ଯାହାଙ୍କ ମଧ୍ୟରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ସାରସକଣାର ପୂର୍ବତନ ବିଧାୟକ ଭାଦୋବ ହାଁସଦା ।
ସେହିପରି ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବି ବିଜେପିରେ ମିଶିବା ଚର୍ଚ୍ଚା ହେଉଛି । ଏପଟେ ନବୀନ ନିବାସ ଆଗରେ ବି ନିଇତି ଆଶାୟୀଙ୍କ ଭିଡ଼ ବଢି ଚାଲିଛି । କିଏ ଧନ୍ୟବାଦ ଆଳରେ ନିଜ ପତିଆରା ଦେଖାଇବାକୁ ଚେଷ୍ଟା କରୁଛି ତ ପୁଣି କିଏ ବାୟୋଡାଟା ଧରି ଆସିଛି । ଏମାନଙ୍କ ମଧ୍ୟରୁ ବି ଯାହାଙ୍କୁ ଟିକଟ ନମିଳେ ସେମାନେ ଦଳ ପାଇଁ ବିଦ୍ରୋହୀ ସାଜିପାରନ୍ତି । ଏବେ ଦେଖିବାର କଥା ଆଗକୁ ଆଉ କେତେ ଜଣ ବିଜେଡି କ୍ୟାଂପ୍ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରୁଛନ୍ତି ?