ହବନି ମେଣ୍ଟ,ଏକା ଲଢ଼ିବେ ଉଭୟ ଦଳ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଉ ଆଜି ଖୋଦ ନିର୍ବାଚନ ପ୍ରଭାରୀଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚାରେ ଲାଗିଛି ଫୁଲ୍ ଷ୍ଟପ । ଦିଲ୍ଲୀ ପରିଚାଳନା ବୈଠକରେ ହୋଇଥିବା ନିଷ୍ପତ୍ତିକୁ ନେଇ ୨୪ ପାଇଁ ପ୍ରସ୍ତୁତି ଜୋରଦାର କରିଛି ଦଳ । ପ୍ରଚାର ଆଉ ପ୍ରାର୍ଥୀ ଏହି ଦୁଇଟିକୁ ଗୁରୁତ୍ୱ ଦେବାକୁ ଦିଲ୍ଲୀରେ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନେତୃତ୍ୱ । ଓଡ଼ିଶା ଦଖଲ ପାଇଁ ପୂରା ଉତ୍ସାହର ସହ ଲଢି଼ବ ପଦ୍ମ । ଗତକାଲି ରାଜ୍ୟ ସଭାପତିଙ୍କ ପରେ ମେଣ୍ଟ ସମ୍ଭାବନାକୁ ଆଜି ନିର୍ବାଚନ ପ୍ରଭାରୀ ଖଣ୍ଡନ କରିଛନ୍ତି । ହେବନି ମେଣ୍ଟ, ଏକା ଲଢିବ ବିଜେପି ବୋଲି କହିଛନ୍ତି । ଏହାସହ ବିଧାନସଭାରେ ୮୦ ଆଉ ଲୋକସଭାରେ ୧୬ ଆସନ ଜିତିବା ଦମ୍ଭୋକ୍ତିକୁ ବି ଦୋହରାଇଛନ୍ତି ବିଜୟ ପାଲ ସିଂ ତୋମାର l ଅନ୍ୟପଟେ ବିଜେଡି କହିଛି ଅଭିଯୋଗ ଭିତ୍ତିହୀନ । ମେଣ୍ଟ କରିବାକୁ କେବେ ବିଜେଡି ଚାହିଁନି ।

ଏପଟେ ଏକାକୀ ଓଡ଼ିଶା ମିଶନ ପାଇଁ ମଇଦାନ ପ୍ରସ୍ତୁତ କରିସାରିଛି ଦଳ । ଦୁଇଟି କଥାକୁ ଗୁରୁତ୍ୱ- ଗୋଟିଏ ପ୍ରଚାର, ଅନ୍ୟଟି ପ୍ରାର୍ଥୀ । ଦିଲ୍ଲୀ ପରିଚାଳନା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି ।୨୧ଟି ଯାକ ଲୋକସଭା କ୍ଷେତ୍ରରେ ସଭା ଓ କାର୍ଯ୍ୟକ୍ରମ କରିବେ ୪ ବଡ଼ ନେତା । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ରାଜ୍ୟରେ ୧୦୦ଟି ସଭା କରିବେ କେନ୍ଦ୍ର ସ୍ତରର ନେତା ।

ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ନିଇତି ଚାଲିଛି ମିଶ୍ରଣ ପର୍ବ । ବହୁ ହେଭିୱେଟ ପଦ୍ମ ଶିବିରରେ ସାମିଲ ହେଉଛନ୍ତି । ୫୦ ପ୍ରତିଶତ ଭୋଟ ଷ୍ଟ୍ରାଟେଜିକୁ ନେଇ ଆଗକୁ ବଢୁଛି ଦଳ । ଏପଟେ ୩ ତାରିଖ ସୁଦ୍ଧା ବିଧାନସଭା ପାଇଁ ସାମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଦେବାକୁ ମଧ୍ୟ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁଣି ୫ ତାରିଖରେ ପ୍ରାଧାନମନ୍ତ୍ରୀ ଚଣ୍ଡିଖୋଲ ଆସୁଥିବାରୁ ଲଢେଇ ପାଇଁ ରାଜ୍ୟ ନେତୃତ୍ୱ ଓ କର୍ମୀଙ୍କୁ ମୋଦି କି ମନ୍ତ୍ର ଦେଉଛନ୍ତି ତା ଉପରେ ବି ନଜର ରହିଛି ।

LEAVE A REPLY

Please enter your comment!
Please enter your name here