ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ୧୯୬୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେବେ। ଏହାସହ ଏକ ସାଧାରଣ ସଭାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସୂଚନା ଦେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାଇଦ୍ରାବାଦରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଓଡ଼ିଶା ଆସିବେ।
ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ନ ୨ଟା ୪୦ରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୩ଟା ୩୦ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦୀ ଗ୍ୟାରେଣ୍ଟି’ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ଏଥିରେ ବିଜେପିର ସମସ୍ତ ସାଂସଦ, ବିଧାୟକ ଓ ପଦାଧିକାରୀମାନେ ଯୋଗଦେବେ।