ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ମୋଦୀଙ୍କ ଓଡିଶା ଗସ୍ତ ଉପରେ ନଜର ରହିଥିଲା । କାରଣ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥାନ୍ତା, ୨୦୨୪ ନିର୍ବାଚନରେ ବିଜେଡି ସହ କେମିତି ଲଢିବ ବିଜେପି । ହେଲେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟର ସମାନତା ଚଣ୍ଡିଖୋଲରେ ଦେଖିବାକୁ ମିଳିଛି । ମୋଦୀ ଗ୍ୟାରେଣ୍ଟି ସମାବେଶରେ କଂଗ୍ରେସ ଉପରେ ବର୍ଷିଥିବା ବେଳେ ବିଜେଡି ବିରୋଧରେ ପଦୁଟିଏ କହିନାହାନ୍ତି ମୋଦୀ ।
ଯାହା ଦୁଇ ଦଳର ସଂପର୍କକୁ ନେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛି ।ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମର ମଞ୍ଚରୁ ମୋଦୀଙ୍କୁ ନବୀନ ଭରପୂର ପ୍ରଶଂସା କରିଛନ୍ତି, ମୋଦୀ ମଧ୍ୟ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଛନ୍ତି । ଯାହା କେନ୍ଦ୍ରର ଏନଡିଏ ସରକାର ଓ ଓଡିଶାର ବିଜେଡି ସରକାର ମଧ୍ୟରେ, କେମିତି ସମ୍ପର୍କ ରହିଛି, ତାହାକୁ ଦର୍ଶାଉଛି ।ମଞ୍ଚ ଉପରୁ ଦୁଇ ନେତା ସମ୍ବୋଧନରେ ବିଜେଡି-ବିଜେପି ମେଣ୍ଟକୁ ନେଇ କୌଣସି ସଙ୍କେତ ଦେଇ ନାହାନ୍ତି । ହେଲେ, ପରସ୍ପରକୁ ଯେଉଁଭଳି ପ୍ରଶଂସା କରିଛନ୍ତି, ତାହା ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।
କାରଣ ପଶ୍ଚିମବଙ୍ଗ, ତେଲେଙ୍ଗାନା ଭଳି ରାଜ୍ୟ ଗସ୍ତରେ ଯାଇଥିବାବେଳେ ଶାସନରେ ଥିବା ଦଳକୁ ସିଧାସଳଖ ଟାର୍ଗେଟ କରୁଥିବାବେଳେ, ଓଡିଶା ସରକାରଙ୍କ ପ୍ରତି ସେଭଳି ଆଭିମୁଖ୍ୟ ଦେଖାଇ ନାହାନ୍ତି ମୋଦୀ । ଯାହାକି ପୁଣି ଥରେ ରାଜ୍ୟ ନେତୃତ୍ୱଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି ।ତେବେ ବିଜୁ ଜୟନ୍ତୀ ଅବସରରେ ମୋଦୀ ଭାରତ ରତ୍ନ ଘୋଷଣା କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେମିତି କିଛି ଦେଖିବାକୁ ମିଳି ନାହିଁ । ଦେଶ ପାଇଁ ବିଜୁ ବାବୁଙ୍କ ଅବଦାନକୁ ସ୍ମରଣ କରି ପ୍ରଶଂସା କରିଥିଲେ, ମଞ୍ଚ ଉପରୁ ପ୍ରଣାମ ଜଣାଇଥିଲେ ମୋଦୀ ।
ବିଜେଡିକୁ ସିଧାସଳଖ ଟାର୍ଗେଟ୍ କରିନାହାନ୍ତି ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ପ୍ରଶଂସା କରିଛନ୍ତି । ତେବେ ରାଜନୀତିର ଏହି ଜନସମାବେଶ ଉପରେ ସାରା ଓଡ଼ିଶାର ନଜର ଥିଲା । କାରଣ ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଅନେକ କିଛି ଆକଳନ, ଅନୁମାନ କରାଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ସବୁ କିଛି ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି ।