ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପି-ବିଜେଡି ମେଣ୍ଟ ହେବ କି ନହେବ, ତାକୁ ନେଇ ତୁଟୁନି ଦ୍ୱନ୍ଦ୍ୱ ତ ଏଣେ କିନ୍ତୁ ଭାରି ଉତ୍ସାହିତ ରାଜ୍ୟ କଂଗ୍ରେସ ଆକଳନ କରୁଛି, ଆଗାମୀ ନିର୍ବାଚନରେ ମେଣ୍ଟ ହେଲେ, ଛାଏଁ ହାତ ଦଳ ତିନି ନମ୍ବରରୁ ମୁଖ୍ୟ ବିରୋଧୀ ଦଳକୁ ଉଠିଯିବ। ସରକାର ବିରୋଧୀ ଭୋଟ୍ ସିଧା ଜାତୀୟ କଂଗ୍ରେସ ଖାତାକୁ ଚାଲି ଆସିବ। ତାସହ ୨୦୧୯ରେ ଦଳ ଜିତିଥିବା ୯ ବିଧାନସଭା ଆସନରୁ ୨୦୨୪ରେ ସଂଖ୍ୟା ସିଧା ୨୫ରୁ ୩୦ ଆଡକୁ ଲମ୍ଫ ମାରିବ। ତାସହ କଂଗ୍ରେସରୁ ଚାଲିଥିବା ଦଳ ଡିଆଁ ଟ୍ରେଣ୍ଡରେ ବ୍ରେକ୍ ଲାଗିବ ଓ ବିଦ୍ରୋହୀ ବିଜେଡି ନେତା ବି କଂଗ୍ରେସ ମୁହାଁ ହେବେ।
ତଥ୍ୟ କହୁଛି ୨୦୧୯ ବିଧାନସଭା ନିର୍ବାଚନରେ ରାଜ୍ୟରେ ଶାସକ ବିଜେଡି ବିରୋଧରେ ପଡ଼ିଥିଲା ୪୮ ପ୍ରତିଶତ ଭୋଟ୍। ଯେଉଁଥିରୁ ବିଜେପି ଖାତାକୁ ୩୨ ପ୍ରତିଶତ ଓ କଂଗ୍ରେସ ପାଖକୁ ଆସିଥିଲା ୧୬ ପ୍ରତିଶତ ଭୋଟ୍। କଂଗ୍ରେସ ୯ଟି ବିଧାନସଭା ଜିତିଥିବାବେଳେ ୩୧ ସିଟରେ ଦ୍ୱିତୀୟ ସ୍ଥାନରେ ଓ ୨୦ଟି ଆସନରେ ଦେଇଥିଲା କଡ଼ା ଟକ୍କର । ଆଉ ଏବେ ଦଳର ଲକ୍ଷ୍ୟ ସରକାର ବିରୋଧୀ ଭୋଟ୍ ରୁ ଅନ୍ୟୁନ ଆଉ ୧୫ ପ୍ରତିଶତ ଟାଣିବା।
ଯଦି ଏଭଳି ହୁଏ, ତାହାଲେ ହାତ ଦଳର ଭୋଟ୍ ହାର ୩୦ ପ୍ରତିଶତକୁ ଛୁଇଁଯିବ। ଏମିତି ହେଲେ ଉଭୟ ବିଧାନସଭା ଓ ଲୋକସଭାରେ ଡବଲ୍ ଜମ୍ପ ମାରିବା ଆଶାରେ ରାଜ୍ୟ କଂଗ୍ରେସ।ଏଣେ କଂଗ୍ରେସର ଆଗୁଆ ଆକଳନକୁ ନେଇ ତେରଛା ବାଣ ମାରିଛନ୍ତି ବିଜେପି ଓ ବିଜେଡି। ରାଜନୀତି ସମୀକ୍ଷକ ବି କହିଲେଣି-ମେଣ୍ଟ ହେଉ କି ନହେଉ, କଂଗ୍ରେସ ପାଇଁ ଭୋଟ୍ ପ୍ରତିଶତ ସେମିତି ଆଖିଦୃଶିଆ ବଢ଼ିବାର ନାହିଁ। ଏବେ ଦେଖିବାର କଥା ୨୪ ନିର୍ବାଚନରେ କେତେ ସଫଳ ହେଉଛି କଂଗ୍ରେସ ?