ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେଥିବା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ହେଲେ ବହୁ ଲାଇ ବିଭାଗ ଅଧିକାରୀ, ସମସ୍ତ ପିଇଓ ଏବଂ ବହୁ ଜନପ୍ରତିନିଧି ତଥା ସରପଞ୍ଚ ସମିତିଙ୍କ ଅନୁପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବୈଠକରେ ସରପଞ୍ଚ ତଥା ସମିତିଙ୍କ ସମ୍ପର୍କୀୟ ମାନେ ବସି ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା ।
ଯାହାକୁ ନେଇ ଉପସ୍ଥିତ କେତେକ ସରପଞ୍ଚ ଓ ସମିତି ସଭ୍ୟ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି ସ୍ଥଳେ ବ୍ଲକର ବିକାଶ ବା ଉନ୍ନତିକରଣ କାମର ସମୀକ୍ଷା କିପରି କରାଯାଇଥିବ ତାହା ଆଲୋଚନାର ବିଷୟ ପାଲଟିଅଛି । ଆଜି ଅନୁଷ୍ଠିତ ଏହି ବୈଠକରେ କେତେକ ବିଷୟକୁ ନେଇସମୀକ୍ଷା ବା ଆଲୋଚନା ହୋଇଥିବା ବେଳେ ଅଧିକାଂଶ ବିଷୟ ଅନୁପସ୍ଥିତ ଯୋଗୁଁ ଆଲୋଚନା ହୋଇନଥିଲା । ଯାହାକି ବୈଠକ ସଫଳତାର ସହ ସମାପନ ହୋଇନଥିବା ଏବଂ ତରବରିଆ ବୈଠକକୁ ନେଇ ନାନାଦି ଆଲୋଚନା ହେଉଛି ।
ସେହିପରି ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ମଧ୍ୟ ହୋଇ ନଥିବାବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ବୈଠକ ସମାପନ ହୋଇଥିବାର ଦେଖିବାକୁ ମିଳିଥିଲା । ଲାଇନ ବିଭାଗ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପିଇଓ ମାନଙ୍କ ଅନୁପସ୍ଥିତ ସମ୍ପର୍କରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନଙ୍କୁ ପଚାରିବାରେ କହିଛନ୍ତି ଯେ, ଆଗାମୀ ସାଧାରଣ ନିର୍ବାଚନ ଲାଗି ଅଧିକାରୀ ତଥା ପିଇଓ ମାନେ ଟ୍ରେନିଂରେ ଯାଇଛନ୍ତି । ସେହପରି ସରପଞ୍ଚ, ସମିତିଙ୍କ ସମ୍ପର୍କୀୟ ମାନେ ଯୋଗଦେଇ ଥିବା ବିଷୟରେ ପଚାରିବାରେ କହିଥିଲେ ଯେ, ଆଗାମୀ ସମିତି ବୈଠକକୁ ଏମାନଙ୍କୁ ନ ଆସିବା ପାଇଁ ତାଗିଦ କରାଯିବ ବୋଲି ବିଡିଓ ଶ୍ରୀ ପ୍ରଧାନ କହିଛନ୍ତି । ତେବେ ସରକାରୀ ନିୟମାନୁଯାୟୀ ଜନପ୍ରତିନିଧିଙ୍କ ବଦଳରେ କୌଣସି ସମ୍ପର୍କିୟ କିମ୍ବା କୌଣସି ବ୍ୟକ୍ତି ବୈଠକରେ ଯୋଗଦାନ କରିପାରିବେନି ବୋଲି କଡାକଡି ନିୟମ ରହିଛି ।
ସେହପିରି ସମିତି ବୈଠକ ତଥା ଗୃହରେ କୋରମ୍ ଅଭାବ ହେଲେ ବୈଠକ ସଫଳ ହେଲା ନାହିଁ ବୋଲି ବିବେଚିତ ହୋଇଥାଏ । ଯଦି ଲାଇନ ଡିପାର୍ଡମେଣ୍ଟ ବା ବିଭାଗୀୟ ଅଧିକାରୀମାନେ ନିର୍ବାଚନ ଟ୍ରଇନିଂରେ ଯାଇଛନ୍ତି ତେବେ କାହିଁକି ଏହି ବୈଠକ ଡକାଗଲା ? ବିଭାଗୀୟ ଅଧିକାରୀମାନଙ୍କ ଅନୁପସ୍ଥିତିରେ ଆମ୍ଭେ କାହା ସହ ବିଭିନ୍ନ ଯୋଜନା ଏବଂ ସମସ୍ୟାର ସମାଧାନ ଲାଗି କାହା ସହ ଆଲୋଚନା କରିବୁ ବୋଲି କିଛି ସରପଞ୍ଚ ଓ ସମିତି ମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଏପରି ନିର୍ବାଚନୀ ଟ୍ରେଇନିଂକୁ ଆଖ୍ ଆଗରେ ରଖି କିପରି ବୈଠକ ଡକାଗଲା ବୋଲି ମଧ୍ୟ ଆଲୋଚନା ହେଉଛି ।
ଆଜିର ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ଅନୁସୂୟା ଦେବୀ, ଜିଲ୍ଲାପରିଷଦ ସଭ୍ୟ ଏସ୍.ବାଲାରାଜୁ, ଜିଲ୍ଲାପରିଷଦ ସଭ୍ୟା ନୀଳାବତୀ ପାରିଗା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା ପ୍ରମୁଖ ମଞ୍ଚାସୀନ ଥିବା ବେଳେ କେତେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଆଉ କେତେକ ବିଭାଗୀୟ, ଅଧିକାରୀଙ୍କ ସମେତ ସରପଞ୍ଚ ସମିତିଙ୍କ ସମ୍ପର୍କୀୟମାନେ ଉପସ୍ଥିତ ରହି କାଣ୍ଟଛାଟ ଭାବେ ସମୀକ୍ଷା ଓ ଆଲୋଚନା କରି ବୈଠକ ସମାପନ ହୋଇଥିଲା ।