ଆସନ ଭାଗବଂଟା ଛକାପଞ୍ଝାରେ ଅଟକିଛି ମେଂଟ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେତେବାଟ ଆଗେଇଲା ମେଣ୍ଟ । ଏ ନେଇ ବିଜେଡି କିଛି ବି ସ୍ପଷ୍ଟ କରୁନି। ଗତ ୬ ତାରିଖ ନବୀନ ନିବାସ ବୈଠକ ପରେ ଦଳ ଏକଦମ୍ ନିରବ। ଯାହା କସରତ କରୁଛି ଭିତରେ ଭିତରେ। ଏପଟେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ବି ତିନି ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱ। ଘନ ଘନ ହେଉଛି ବୈଠକ। ହେଲେ ଏ ଯାଏଁ ବି ଡିଲ୍ ଫାଇନାଲ୍ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ସଭା ପରଠୁ ହିଁ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଉପରୁ କେବେ ପରଦା ହଟିବ ସମସ୍ତେ ଚାହିଁ ବସିଛନ୍ତି।କାହିଁକି ଆସୁନି ସ୍ପଷ୍ଟତା ? ସମ୍ଭାବ୍ୟ ମେଣ୍ଟ ନେଇ ସପ୍ତାହେ ହେଲା ଲାଗି ରହିଛି ସସ୍‌ପେନ୍ସ।

ନେତାଙ୍କୁ ନିଦ ନାହିଁ, କର୍ମୀ ପଚାରୁଛନ୍ତି କେବେ, କେମିତି ଆଉ କ’ଣ ପାଇଁ। ୩ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି ବିଜେପିର ରାଜ୍ୟ ନେତୃତ୍ୱ। ଘନ ଘନ ଚାଲିଛି କସରତ। ଯଦିଓ ବିଜେପି ଏକାକୀ ଲଢିବ ବୋଲି ପ୍ରତିକ୍ରିୟା ଦେଇ କାର୍ଯ୍ୟକ୍ରମ ଜାରି ରଖିଛି, ହେଲେ ବିଜେଡିର ନିସ୍ତବ୍ଧତାକୁ ନେଇ ଉଠିଛି ପ୍ରଶ୍ନ। ଏଯାଏଁ ଶୀର୍ଷ ନେତୃତ୍ୱ କିଛି ବି ସ୍ପଷ୍ଟ କରୁ ନାହାନ୍ତି। ଏପଟେ କିନ୍ତୁ ଦଳର ଜଣଙ୍କ ପରେ ଜଣେ ନେତାଙ୍କ ବୟାନ ମେଣ୍ଟ ହେଉଥିବା ନେଇ ଇଙ୍ଗିତ କରୁଛି। ଅନ୍ୟପଟେ ଗତକାଲି ଆଉ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି ରାଜ୍ୟ ନେତୃତ୍ବ।

ସେହିପରି ଗତକାଲି ରାତିରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଘରେ ୫ରୁ ଅଧିକ ବିଧାୟକଙ୍କ ମେଳି ଏହି ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ମେଣ୍ଟ ସମ୍ଭାବନା ଭିତରେ ଆସନ ଭାଗବଣ୍ଟା ବାବଦରେ ଦୁଇଟି ଫର୍ମୁଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ଫର୍ମୁଲାରେ ବିଜେପି-ବିଜେଡି ଲୋକସଭାରେ ୧୩-୮ ଏବଂ ବିଧାନସଭାରେ ୪୯-୯୮। ଆଉ ଏକ ଫର୍ମୁଲାରେ ଲୋକସଭାରେ ବିଜେପି ୧୪, ବିଜେଡି ୭ ଏବଂ ବିଧାନସଭାରେ ବିଜେପି ୫୬ ଓ ବିଜେଡି ୯୧ରେ ଅଙ୍କ ଛିଣ୍ଡିପାରେ। ଯଦି ୧୩-୮ ଫର୍ମୁଲାରେ ଅଙ୍କ ଛିଡ଼େ, ତାହେଲେ ନଜର ପକାନ୍ତୁ ସମ୍ଭାବ୍ୟ ଲୋକସଭା ଆସନ ଭାଗବଣ୍ଟା ଉପରେ।

ବିଜେଡି ପାଖରେ ରହିପାରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବ୍ରହ୍ମପୁର, ଆସିକା, କନ୍ଧମାଳ ଓ କୋରାପୁଟ। ବଳକା ୧୩ ସିଟ୍ ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ବଲାଙ୍ଗୀର,କଳାହାଣ୍ଡି ଓ ନବରଙ୍ଗପୁର ବିଜେପି ଭାଗରେ ପଡ଼ିପାରେ। ହେଲେ କୁହାଯାଉଛି ଆସନକୁ ନେଇ ଏବେ ବି ସହମତି ଆସିପାରୁ ନାହିଁ। ବିଧାନସଭାରେ ବିଜେଡି ୧୦୦ରୁ ଅଧିକ ସିଟ୍ ଚାହୁଁଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here