ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ମଙ୍ଗଳବାର ୪୩ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କମଲନାଥ ଓ ଅଶୋକ ଗେହଲଟଙ୍କ ସମେତ ବରିଷ୍ଠ କଂଗ୍ରେସ ନେତାଙ୍କ ପୁଅଙ୍କ ନାମ ରହିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥଙ୍କୁ ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ପ୍ରାର୍ଥୀ କରାଯାଇଛି । ସେ ଏହି ଆସନରୁ ବର୍ତ୍ତମାନର ସାଂସଦ ଅଛନ୍ତି । ବୈଭବ ଗେହଲଟ ହେଉଛନ୍ତି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ । ତାଙ୍କୁ ରାଜସ୍ଥାନର ଜାଲୋରରୁ ପ୍ରାର୍ଥୀ କରାଯାଇଛି ।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇଙ୍କୁ ଜୋରହାଟରୁ ପ୍ରାର୍ଥୀ କରାଯାଇଛି । ଗୋଗୋଇ କାଳିଆବୋର ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ସାଂସଦ । କଂଗ୍ରେସର ଦ୍ୱିତୀୟ ତାଲିକାରେ ଆସାମରୁ ୧୨, ଗୁଜରାଟରୁ ୭, ମଧ୍ୟପ୍ରଦେଶରୁ ୧୦, ରାଜସ୍ଥାନରୁ ୧୦ ଏବଂ ଡାମନ ଓ ଡିଉରୁ ଜଣେ ପ୍ରାର୍ଥୀ ରହିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ କହିବାନୁଯାୟୀ, ତାଲିକାରେ ଥିବା ୭୬.୭ ପ୍ରତିଶତ ପ୍ରାର୍ଥୀ ସଂଖ୍ୟାଲଘୁ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଜାତି ବର୍ଗର ।
ପ୍ରଥମ ପର୍ଯ୍ୟାୟରେ ୩୯ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲା କଂଗ୍ରେସ । ଦଳର ବରିଷ୍ଠ ନେତା ହରିଶ ରାୱତ ମଧ୍ୟ ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଦାବି କରିଥିବା ସୂଚନା ରହିଛି ।ତେବେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। କଂଗ୍ରେସ ପ୍ରଥମ ତାଲିକାରେ ବି ଓଡ଼ିଶାର କୌଣସି ଆସନ ନ ଥିଲା।