ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର ଏବଂ ପାରଳାଖେମୁଣ୍ଡି ବନଖଣ୍ଡୀୟ ଅଧିକାରୀ ଏସ୍.ଆନନ୍ଦଙ୍କଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସୀମାନ୍ତରେ ଥିବା ନାକା ପଏଂଟ ଓ ବନାଞ୍ଚଳରେ ଠାରେ ଉଭୟ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ କଡାକଡି ଭାବେ ତନଖି ତଥା ଯାଞ୍ଚ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାତ୍ର ପ୍ରାୟ ଗୋଟାଏ ସମୟରେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଓଡ଼ିଶା ସୀମାନ୍ତ ଲାବନ୍ୟଗଡ ନାକା ପଏଣ୍ଟ ଠାରେ ଗାରବନ୍ଧା ଥାନା ଅଧିକାରିଣୀ ରିନାରାଣୀ ସାହୁଙ୍କ ନେତୃତ୍ୱ ରେ ଏସ୍ଆଇ ନାରାୟଣ ଦାସ ଏବଂ ବହୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଯାଞ୍ଚ କାର୍ଯ୍ୟକ୍ରମ କରୁଥିବା ବେଳେ ଆନ୍ଧ୍ର ପଟରୁ ଆସୁଥିବା ଦୁଇ ଗୋଟି ବାଇକକୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ତିନି ଚାଲାଣକାରୀ ହରିଣ ମାଂସ ଏବଂ ଏକ ଜୀବିତ ହରିଣ ଛୁଆକୁ ଧରିଥିବାର ଦେଖିବାକୁ ପାଇଥିଲେ ।
ଇତି ମଧ୍ୟରେ ରମ୍ପା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ମହେନ୍ଦ୍ର ବନାଅଞ୍ଚଳର ଅଧିକାରୀଙ୍କୁ ସୂଚନା ଦେବା ସହ ଉକ୍ତ ଘଟଣାକୁ ହସ୍ତାନ୍ତର କରିଥିଲେ । ତୁରନ୍ତ ଏସିଏଫ୍ ଅରୁଣ କୁମାର ସାହୁଙ୍କ ସମେତ ମହେନ୍ଦ୍ର ରେଞ୍ଜର ଅଧିକାରୀ ଅମିତ ଶୁଭ୍ରଜିତ୍, ଗାରବନ୍ଧ ଫରେଷ୍ଟର ଦୁର୍ଯ୍ୟଧନ ଜେନା, ନାରାୟଣପୁର ଫରେଷ୍ଟର ଏମ୍.କାମେଶୁ ପ୍ରମୁଖ ବନକର୍ମଚାରୀ ମାନେ ପହଞ୍ଚି ହରିଣ ମାଂସ ସହ ଗୋଟିଏ ଜୀବିତ ହରିଣଛୁଆ, ଦୁଇଗୋଟି ଚାଲାଣରେ ବ୍ୟବହୃତ ବାଇକକୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରିଥିଲେ ।
ଗିରଫ ତିନି ଜଣ ହେଲେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗାଇବା ପଞ୍ଚାୟତ ଅନ୍ତର୍ଗତ ଅର୍ତନା ଗ୍ରାମର ଯଥା ତିସାନ ଭୂୟାଁ (୪୯), ମେସିୟୋ ଭୂୟାଁ (୩୨) ଏବଂ ଅବିୟୋ ଭୂୟାଁ (୪୪) ବୋଲି ଜଣାପଡିଛି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ମଧ୍ୟ ଜଣାପଡିଛି । ତେବେ ଜିବୀତ ଭାବେ ଉଦ୍ଧାର ହୋଇଥିବା ହରିଣ ଛୁଆକୁ ଗୁରାଣ୍ଡି ସ୍ଥିତ ପଶୁ ଚିକିତ୍ସାଳୟରେ ରଖାଯାଇ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଉଥିବା ବେଳେ ପଶୁ ଚିକିତ୍ସକ ଫିଟନେସ୍ ପତ୍ର ଦେବା ପରେ ବନ ବିଭାଗ ପକ୍ଷରୁ ଉକ୍ତ ଛୁଆ ହରିଣକୁ ପୁଣି ଜଙ୍ଗଲରେ ଛଡା ଯିବ ।
ସେହିପରି ଜବତ ହୋଇଥିବା ହରିଣ ମାଂସକୁ ବଣ୍ୟପ୍ରାଣୀ ଆଇନ ବିଧି ପ୍ରକାରେ ପୋତା ଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ । ଏନେଇ ବନ ବିଭାଗ ପକ୍ଷରୁ ୭୯/୨୦୨୩-୨୪ରେ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତ୍ କହିଥିଲେ ମଧ୍ୟ କ୍ୟାମେରା ଆଗରେ ପ୍ରକାଶ କରିନାହାନ୍ତି । ସେହିପରି ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟକୁ ଏ ସମ୍ପର୍କେ ପଚାରିବାକୁ ଗଲେ ସେଠାରେ ଡିଏଫ୍ଓ ନଥିବା ବେଳେ ଏସିଏଫ୍ ମତ ଦେବାକୁ ମନା କରିଦେଇଛନ୍ତି ।