ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଦେଶରେ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ । ଆଜି ମୋଦି ସରକାର ସାରା ଦେଶରେ ଉଭୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଲିଟର ପିଛା 2 ଟଙ୍କା ହ୍ରାସ କରିଛନ୍ତି । ମାର୍ଚ୍ଚ 15 (ଆସନ୍ତାକାଲି) ଠାରୁ ଏହି ନୂତନ ତଥା ପରିବର୍ତ୍ତିତ ଦର ଲାଗୁ ହେବ । ତୈଳ ମାର୍କେଟିଂ କମ୍ପାନୀଗୁଡିକର ସୂଚନା ଅନୁସାରେ, ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ସରକାର ସଂଶୋଧନ କରିଛନ୍ତି । ଉଭୟ ତୈଳ ଇନ୍ଧନର ମୂଲ୍ୟ ଲିଟର ପିଛା 2 ଟଙ୍କା ହ୍ରାସ ପାଇଛି ।
ଏହି ନୂତନ ଦର ସହ 15 ତାରିଖ ସକାଳ 6 ଟାରୁ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବ ।ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ‘ଏକ୍ସ’ରେ ଏହି ଦର ହ୍ରାସ ସମ୍ପର୍କରେ ପୋଷ୍ଟ କରି ଏହି ସୂଚନା ଦେଇଛି । ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ହେବା ଦ୍ୱାରା ଗ୍ରାହକଙ୍କ ଖର୍ଚ୍ଚରେ ମଧ୍ୟ ହ୍ରାସ ଘଟିବ । ଦେଶରେ ଯାତାୟତ କରୁଥିବା 58 ଲକ୍ଷରୁ ଅଧିକ ଭାରିଯାନ, 6 କୋଟିରୁ ଅଧିକ କାର ଏବଂ ପେଟ୍ରୋଲରେ ଚାଲୁଥିବା 27 କୋଟିରୁ ଅଧିକ ଦୁଇଚକିଆ ଯାନରେ ବ୍ୟବହୃତ ଇନ୍ଧନ ଖର୍ଚ୍ଚରାଶି ହ୍ରାସ ପାଇବ ।