ଭୁବନେଶ୍ବର ( ବିପ୍ଲବୀ ପରିକ୍ରମା ):- ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ମେଣ୍ଟ ଚର୍ଚ୍ଚା ନେଇ ଦୁଇ ଦଳ ଏକ ପ୍ରକାର ନିରବ ରହିଥିବା ବେଳେ ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ବଡ ବୟାନ ସାମ୍ନାକୁ ଆସିଛି । ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ, ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତ୍ତି ନେବ କହିଲେ ଜୁଏଲ ଓରାମ ।
ନିର୍ବାଚନ ବିଗୁଲ ବାଜି ସାରିବା ପରେ ମଧ୍ୟ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହୋଇପାରୁ ନାହିଁ । ଉଭୟ ଦଳର ନେତା କହୁଛନ୍ତି ମେଣ୍ଟ ସଂପର୍କରେ ନିଷ୍ପତ୍ତି ଶୀର୍ଷ ନେତା ନେବେ । କିନ୍ତୁ ଶୀର୍ଷ ନେତାଙ୍କ ନୀରବତା ଚର୍ଚ୍ଚାକୁ ଆହୁରି ଘନୀଭୂତ କରୁଛି । ଏହାରି ଭିତରେ ଦଳୀୟ କର୍ମୀ, ନେତା ଏବଂ ଆଶାୟୀଙ୍କ ଭିତରେ ଦ୍ୱନ୍ଦ୍ବ ଦୂର କରିପାରୁନାହିଁ ବିଜେପି ।
ତେବେ ଦିଲ୍ଲୀ ଯିବା ପୂର୍ବରୁ ସାଂସଦ ଜୁଏଲ ଓରାମ କହିଛନ୍ତି, ” ମେଣ୍ଟକୁ ନେଇ କୌଣସି ଦ୍ଵନ୍ଦ୍ବ ନାହିଁ । କେନ୍ଦ୍ରକୁ ଲିଷ୍ଟ ପଠା ଯାଇଛି । କେନ୍ଦ୍ର ଯାହା ନିର୍ଣ୍ଣୟ କରିବ ସେହି ଅନୁଯାୟୀ ହେବ । ଏଥର ନିଶ୍ଚିତ ଲିଷ୍ଟରେ ଓଡ଼ିଶା ରହିବ ।” ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ ବସିବ । ଏଥିରେ ରାଜ୍ୟ ନେତୃତ୍ବ ଭାଗ ନେଇପାରନ୍ତି । ଦିଲ୍ଲୀରୁ ଡକରା ପରେ ରାଜ୍ୟ ନେତୃତ୍ବ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି l