ବ୍ରହ୍ମପୁର ; ମା’ ଆଗମନ ପାଇଁ ସଜେଇ ହେଉଛି ବ୍ରହ୍ମପୁର , ଆସୁଛନ୍ତି ମାଁ ଦୁର୍ଗତୀ ନାଶିନୀ ଦୁର୍ଗା । ମାଁଙ୍କ ଆଗମନକୁ ନେଇ ବ୍ରହ୍ମପୁର ସହରର ଏବେ ହୋଇଉଠିଛି ଉତ୍ସବ ମୁଖର । ଚଳିତ ବର୍ଷ ସହରର ପ୍ରାୟ ୪୧ ମଣ୍ଡପରେ ପୂଜା ପାଇବେ ମାଁ । ମାଁଙ୍କୁ ପୂଜାକୁ ନେଇ ପୂଜା କମିଟି ମାନେ ପ୍ରସ୍ତୁତି ଜୋର୍ଦାର ଚଳାଇଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ବିଜିପୁର ଦୁର୍ଗା ପୂଜା ୬୦ ବର୍ଷରେ ପଦାର୍ପଣ କରିବ । ଦୁର୍ଗା ପୂଜା ନିମନ୍ତେ ସୁଉଚ୍ଚ ତୋରଣ କାମ ଶେଷ ହୋଇଥିବା ବେଳେ ମାଁଙ୍କ ମୂର୍ତ୍ତି କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ବର୍ତ୍ତମାନ ମାଁଙ୍କ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ବ ଦେବାଦେବୀଙ୍କୁ ସଜ୍ଜିତ କରିବା କାର୍ଯ୍ୟ ଜାରୀ ରହିଛି । ଏହାପରେ ଆଲୋକୀକରଣ ବ୍ୟବସ୍ଥା କରାଯିବ । ଆସନ୍ତା ୧୫ ତାରିଖ ସନ୍ଧ୍ୟାରେ ମାଁଙ୍କ ଘଟ ବସିବା ସହିତ ନବରାତ୍ର ପୂଜା ଆରମ୍ଭ ହେବ । ତେବେ ବିଜିପୁର ପୂଜା କମିଟିର ଏକ ବିଶେଷ୍ବତ ହେଲା ମାଁଙ୍କୁ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସତସତିକା ମାଁଙ୍କୁ ଶାଢ଼ୀ ପିନ୍ଧାଯାଏ । ଯାହାକି ଅନ୍ୟ ପୂଜା ମଣ୍ଡପରେ ଦେଖିବାକୁ ମିଳିନଥାଏ । ସେହିପରି ସହରର ସୁବାରାଓ ଛକରେ ହେଉଥିବା ପୂଜା ଚଳିତ ବର୍ଷ ୪୬ ବର୍ଷରେ ପଦାର୍ପଣ କରିବ । ସେପଟେ ଚଳିତ ବର୍ଷ କିଭଳି ଶାନ୍ତିଶୃଙ୍ଖାଳର ସହିତ ମାଁଙ୍କ ପୂଜା ପାଳିତ ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା । ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହରରେ ହେବାକୁ ଥିବା ୪୧ଟି ପୂଜା କମିଟିର ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ । କିଭଳି ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରିବେ, ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ, ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ପରେ ବନ୍ଦ ହେବ, ମଣ୍ଡପ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଳି ବିଭିନ୍ନ ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ମଣ୍ଡପ ପାଇଁ କିଛି ନିୟମାବଳୀ ରହିଛି ଏହାକୁ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କମିଟି ମାନଙ୍କୁ ଅନୁରୋଧ କରାଯାଇଛି । ସେହିପରି ପୂଜା ସମୟରେ ଟ୍ରାଫିକ ସମସ୍ୟା ନ ଉପୁଜେ ସେ ନେଇ ବିଭିନ୍ନ ମଣ୍ଡପ ନିକଟରେ ପୋଲିସ କର୍ମଚାରୀ ମୁତୟନ ରହିବେ । ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ସହରରେ ଅଧିକ ପୂଜା ମଣ୍ଡପରେ ମାଁଙ୍କ ପୂଜା ଆୟୋଜନ କରାଯାଉଥିବା ବେଳେ ପୂଜା ମଣ୍ଡପ ଗୁଡ଼ିକରେ ମଧ୍ୟ ଆଡ଼ମ୍ବର ସହକାରେ ପୂଜା ପାଳନ ହେବା ନେଇ ଆଶା ରଖାଯାଇଛି l