ଶଙ୍ଖ ଭବନରେ ଆଶାୟୀଙ୍କ ହଙ୍ଗାମା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡିରେ ଜଳ ଜଳ ଗୋଷ୍ଠୀ କନ୍ଦଳ। ଆଉ କେହି ଶୁଣିବା ସ୍ଥିତିରେ ନାହାଁନ୍ତି। ବିଜେଡି ଟିକେଟ ପାଇଁ ଅଙ୍କ କଷା ରାଜଧାନୀରେ ଜାରି ରହିଥିବାବେଳେ ଆଶାୟୀ ବି ଏବେ ହେଡକ୍ୱାଟର ମୁହାଁ । ସୁପ୍ରିମୋଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିବା ପାଇଁ କିଏ ସମର୍ଥକଙ୍କୁ ଧରି ମେଳି କଲାଣି ତ ଆଉ କିଏ ଡେରା ପକାଇ ଟିକେଟ ଲବି କରୁଛି ।ନବୀନ ନିବାସରେ ଟିକେଟ ପାଇଁ ଆଶାୟୀଙ୍କ ହଙ୍ଗାମା ।

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସୁପ୍ରିମୋ ଚିଲିକା ନିର୍ବାଚନ ମଣ୍ଡଳୀରୁ ଟିକେଟ ସଙ୍କେତ ଦେବା ନେଇ ଖୋଦ ପାଟ୍ଟଶାଣୀ ଗଣମାଧ୍ୟମକୁ କହିବା ପରେ ଶଙ୍ଖ ଭବନ ଆଗରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ ଏଥର ବଡ଼ ଦାବିଦାର ଥିବାରୁ ପାଟ୍ଟଶାଣୀଙ୍କୁ ବିରୋଧ କରି ରଘୁଙ୍କ ହଜାର ହଜାର କର୍ମୀ ଓ ସମର୍ଥକ ଚିଲିକାରୁ ଭୁବନେଶ୍ୱର ଆସି ଦାବି ଜଣାଇଛନ୍ତି।

ପ୍ରସନ୍ନ ପାଟ୍ଟଶାଣୀ ମାଟିର ପୁଅ ନୁହେଁ ତାଙ୍କୁ ଟିକେଟ ନ ଦେବାକୁ ସୁପ୍ରିମୋଙ୍କ ପାଖରେ ଅନୁରୋଧ କରିଛନ୍ତି ରଘୁଙ୍କ ସମର୍ଥକ। ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକା ଟିକେଟ ଚର୍ଚ୍ଚା ଆରମ୍ଭ ହେବା ଦିନ ଠାରୁ ହିଁ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ ବିରୋଧ କରାଯାଉଛି। ଆଉ ଆଜି ହାଇକମାଣ୍ଡଙ୍କ ନିକଟରେ ପ୍ରସନ୍ନଙ୍କ ବଦଳରେ ରଘୁଙ୍କୁ ଟିକେଟ ଦିଆଯିବା ନେଇ ସମର୍ଥକଙ୍କ ଦାବି ପରେ ପାଟ୍ଟଶାଣୀ କହିଛନ୍ତି କୌଣସି ପ୍ରଭାବ ପଡ଼ିବନି। ଗୋଟିଏ ପଟେ ନବୀନ ନିବାସରେ ପ୍ରତି ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ। ଆଉ ଅନ୍ୟପଟେ ଟିକେଟକୁ ନେଇ ଘନଉଛି ପ୍ରବଳ କନ୍ଦଳ।

ଗତକାଲି ନବୀନ ନିବାସରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। କିନ୍ତୁ କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ। ନର୍ଲା ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଓ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ବିଜେଡି ଡଙ୍ଗା ଯେ ଆଶାୟୀଙ୍କୁ ନେଇ ଭାରାକ୍ରାନ୍ତ ସେଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ନିର୍ବାଚନ ଯେତିକି ପାଖଉଛି ବିଦ୍ରୋହ ଓ ବିଶୃଙ୍ଖଳା ସେତିକି ବଢୁଛି। ତେବେ ଦେଖିବାର କଥା ଦଳପତି ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ଟିକେଟ ବାଣ୍ଟୁଛନ୍ତି।

LEAVE A REPLY

Please enter your comment!
Please enter your name here