ମହିଳାଙ୍କୁ ଟିକେଟ ପ୍ରତିଶ୍ରୁତି ପୂରଣ କରିବ ତ ବିଜେଡି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମିଶନ ଶକ୍ତି ତଥା SHG ମହିଳାଙ୍କୁ ନିଜ ଆଡ଼କୁ ନେବା ପାଇଁ ଶାସକ ବିଜେଡିର ରଣନୀତି ? କାରଣ ୧୯ ନିର୍ବାଚନ ବେଳେ ଲୋକସଭା ୩୩ % ମହିଳାଙ୍କୁ ଟିକଟ ଦେବାକୁ ଘୋଷଣା କରିଥିବା ବିଜେଡି ଏଥର ଟିକେ ମଠେଇ ଯାଇଛି । ଲୋକସଭା ଏବଂ ବିଧାନସଭା ପାଇଁ ଏଯାଏଁ ମାତ୍ର ଜଣେ SHG ସଦସ୍ୟାଙ୍କ ସମେତ ୧୬ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଛି ବିଜେଡି ।

ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଛି ଅସନ୍ତୋଷ । କହୁଥିଲେ ମହିଳା ସଶକ୍ତିକରଣ କଥା…ଲୋକସଭା ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରି ୨୦୧୯ରେ ବିଜେଡି ସୁପ୍ରିମୋ ଖେଳିଥିଲେ ମାଷ୍ଟ୍ରରଷ୍ଟ୍ରୋକ୍ । ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ । କିନ୍ତୁ ମିଶନ ଶକ୍ତି ଆଳରେ ମହିଳା ଭୋଟ୍ ବ୍ୟାଙ୍କ ସୃଷ୍ଟି କରିଥିବା ଶାସକ ବିଜେଡି ଏଥର କାହିଁକି କୁଣ୍ଠାବୋଧ ? ଯାଜପୁରର SHG ମହିଳା ସୁଜାତା ସାହୁ ।ବର୍ତ୍ତମାନ ଯାଏଁ ପ୍ରମିଳା ବିଶୋୟୀଙ୍କ ଟିକେଟ କଟିବା ପରେ ରାଜ୍ୟରେ କେବଳ ଜଣେ SHG ସଦସ୍ୟାଙ୍କୁ ଯାଜପୁର ବିଧାନସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି ।

ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସ୍ଥାନର SHG ମହିଳା । ବର୍ତ୍ତମାନ ସୁଦ୍ଧା ୧୫ଟି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ୪ ମହିଳାଙ୍କୁ ଟିକଟ ଦେଇଛି ବିଜେଡି । ତା’ସହ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟର ୭୨ ଜଣିଆ ତାଲିକାରେ ୧୨ ମହିଳାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ୨୦୧୯ ନିର୍ବାଚନରେ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଥିଲା ବିଜେଡି । ବିଧାନସଭା ପାଇଁ ୧୯ ମହିଳା ପ୍ରାର୍ଥୀଙ୍କୁ ମିଳିଥିଲା ଟିକଟ । ପରବର୍ତ୍ତୀ ନିର୍ବାଚନରେ ବି ୩୩ ପ୍ରତିଶତ ଲାଗୁ କରିବୁ ବୋଲି ବିଜେଡି ଘୋଷଣା କରିଥିଲା । କିନ୍ତୁ ଏଯାଏଁ ୭୨ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେଇଥିବାବେଳେ ତା’ମଧ୍ୟରେ ଅଛନ୍ତି ମାତ୍ର ୧୬ ପ୍ରତିଶତ ମହିଳା । ଅବଶ୍ୟ ଆଉ ୬ଟି ଲୋକସଭା ଏବଂ ୭୫ଟି ବିଧାନସଭା ସିଟ୍ ପାଇଁ ବିଜେଡି ଟିକଟ ଘୋଷଣା କରିନି ।

ପ୍ରଶ୍ନ ଉଠୁଛି, ବିଭିନ୍ନ ସ୍ଥାନରେ ଜାରି ରହିଥିବା ବିଦ୍ରୋହ ଓ ବିରୋଧ ସ୍ଥିତି ଭିତରେ SHGରୁ ବିଜେଡି ପାଇଲାନି କି ନୂଆ ମୁହଁ ? ଘୋଷଣା ହେବାକୁ ଥିବା ଅନ୍ୟ ୬ଟି ଲୋକସଭା ଏବଂ ୭୫ଟି ବିଧାନସଭା ସିଟରେ ମହିଳାଙ୍କୁ ପ୍ରାର୍ଥୀ କରି ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ପ୍ରତିଶ୍ରୁତି ପୂରଣ କରିପାରିବ ତ ବିଜେଡି ? ସେନେଇ ନାନା ପ୍ରଶ୍ନ ଉଠୁଛି > ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ୍ ରହିଛି। ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର SHGରେ ପ୍ରାୟ ୭୦ ଲକ୍ଷ ମହିଳା SHG ରହିଛନ୍ତି । ଏବେ ଅପେକ୍ଷା, ଟିକଟ ପ୍ରଦାନ କ୍ଷେତ୍ରରେ ଏଥର ମଠେଇ ଯାଇଥିବା ବିଜେଡିକୁ ଚଳିତ ନିର୍ବାଚନରେ କି ଜବାବ ଦେଉଛନ୍ତି SHG ମହିଳା ।

LEAVE A REPLY

Please enter your comment!
Please enter your name here