ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡିକୁ ଏବେ ଅଡ଼ୁଆ ସାଜିଛି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର। କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ବିଜେଡି ନିଜର ସାଂସଦ ପ୍ରାର୍ଥୀ କରିବା ପରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ କରି ୬ମାସ ଆଗରୁ ନିର୍ବାଚନମଣ୍ଡଳୀ ବୁଲାଇବା, ଦଳର ସ୍ଥାନୀୟ ନେତାମାନଙ୍କ ସହ ପରାମର୍ଶ ନକରି ଅଚାନକ ମନ୍ମଥଙ୍କୁ ଦଳରେ ମିଶାଇ ଟିକେଟ୍ ଦେବା ଓ ମନ୍ମଥଙ୍କୁ ନିଜ ପରିବାରରୁ ବିରୋଧ ହେବା ପରେ ବିଜେଡି ହରଡ଼ଘଣାରେ ପଡ଼ିଛି। ଆଉ ଏପଟେ ଶ୍ରୀମୟୀ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛ l
ବିଜେଡି ନିଜର ଜଣେ ଆଗଧାଡ଼ିର ନେତ୍ରୀଙ୍କୁ ଦୀର୍ଘ ୬ମାସ ବୁଲାଇବା ପରେ ଅଚାନକ ହଟାଇ ଦେଇ କଂଗ୍ରେସରୁ ଆସୁଥିବା ମନ୍ମଥଙ୍କୁ ଲୋକସଭା ଟିକେଟ୍ ଧରାଇ ଦେବାକୁ ନେଇ ଦଳୀୟ କର୍ମୀ ବିଶେଷକରି ଦଳର ମହିଳା ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।ସୂଚନା ଅନୁସାରେ, ମନ୍ମଥଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠୁ ବିଜେଡି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ପତ୍ତା ମିଳୁନି। ସୋସିଆଲ ମିଡିଆରେ ବେଶୀ ସକ୍ରିୟ ଥିବା ଶ୍ରୀମୟୀଙ୍କ ଫେସବୁକ, ଇନଷ୍ଟାଗ୍ରାମ ମଧ୍ୟ ଏବେ ଅଚଳ ଅବସ୍ଥାରେ ପଡ଼ିଛି।
ଏପରିକି ସେ ତାଙ୍କ ସରକାରୀ ବାସଭବନରେ ରହୁନଥିବାରୁ ତାଙ୍କ ସହ ଯୋଗାଯୋଗ କରିବା ସମ୍ଭବପର ହୋଇପାରୁନଥିବା ଦଳୀୟ ମହଲରେ ଚର୍ଚ୍ଚା।ମନ୍ମଥଙ୍କ ପ୍ରାର୍ଥୀତ୍ୱକୁ ସହଜରେ ଗ୍ରହଣ କରିପାରୁନଥିବା ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଏସଏଚଜି ମହିଳା ଓ ବିଶେଷକରି ଆଗଧାଡ଼ିର ବିଜେଡି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି। ବିଜେଡି ନିଜର ଏହି ନେତାମାନଙ୍କୁ ପୁଣିଥରେ ବିଧାୟକ ଟିକେଟ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ‘ମିଶନଶକ୍ତି ମହିଳା ଏସଏଚଜି’ ଚେହେରା ଭାବେ ଶ୍ରୀମୟୀଙ୍କୁ ବିଜେଡି ଉପଯୋଗ କରିଛି। ତେଣୁ ବିଜେଡିର ମହିଳା ଭୋଟବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏସବୁ ଭୟ ବି ଏବେ ବିଜେଡିର ସମ୍ଭାବ୍ୟ ବିଧାୟକ ପ୍ରାର୍ଥୀମାନଙ୍କୁ ଘାରିଥିବା ଜଣାପଡ଼ିଛି। ସୋସିଆଲ ମିଡିଆଠୁ ଆରମ୍ଭ କରି ପ୍ରମୁଖ ଗଣମାଧ୍ୟମରେ ବିଜେଡିର ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏପଟେ ଶ୍ରୀମୟୀଙ୍କ ନିଖୋଜ, ମନ୍ମଥଙ୍କ ପ୍ରତି ବିଜେଡିରେ ଗ୍ରହଣୀୟତା ନଥିବା, ସୁରଙ୍କ ନିଜ ସାନପୁଅକୁ ନେଇ ପ୍ରତିକୂଳ ମନ୍ତବ୍ୟ ଏବଂ ଅନ୍ୟପଟେ ଅପରାଜିତାଙ୍କ ମହିଳା କାର୍ଡ ବିଜେଡିର ଭୁବନେଶ୍ୱର ସଂସଦୀୟ ଆସନ ସହ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକର ଭୋଟକୁ ପ୍ରଭାବିତ କରିବାର ଆଶଙ୍କା ଜଳଜଳ ହୋଇ ଦିଶିବାରେ ଲାଗିଥିବା ଚର୍ଚ୍ଚା।