ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ରାଜ୍ୟର ୩ ପ୍ରମୁଖ ରାଜନୈତିକଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ୨୧ ଆସନ ବିଶିଷ୍ଠ ଓଡିଶା ପାଇଁ ବିଜେପି ୨୧ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଆଜିକୁ ମିଶାଇ ବିଜେଡି ୨୦ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିଭଳି ଏପ୍ରିଲ ୨ ତାରିଖରେ କଂଗ୍ରେସ ତରଫରୁ ୮ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହିସବୁ ପ୍ରାର୍ଥୀ ତାଲିକା ଘୋଷଣା ପରେ କିଛି ସଂସଦୀୟ କ୍ଷେତ୍ରରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି ।
ଏହି କ୍ରମରେ ସବୁଠାରୁ ରୋଚକ ଲଢେଇ ବ୍ରହ୍ମପୁର ଲୋକସଭା ଆସନରେ ହେବ ବୋଲି ଆକଳନ କରାଯାଉଛି ।ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ । ସେହିଭଳି ଆଜି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ ।
ସେହିଭଳି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।ବିଜେଡି ଟିକେଟରୁ ୨୦୧୯ ମସିହାରେ ଗୋପାଳପୁର ବିଧାନସଭାରୁ ବିଧାୟକ ଭାବେ ବିଜୟୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ ଗୋପାଳପୁର ପରିବର୍ତ୍ତେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସେହିଭଳି ଭୃଗୁ ବକ୍ସିପାତ୍ର ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ଟିକେଟରୁ ବ୍ରହ୍ମପୁରରୁ ପ୍ରାର୍ଥୀ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ଭୃଗୁ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିଜୟ ଆଶା ଅଧିକ ଅଛି ବୋଲି ରାଜନୈତିକ ମହଲରେ ଚର୍ଚା ହେଉଛି l