ବିପ୍ଲବୀ ପରିକ୍ରମା ବ୍ୟରୋ :- କଂଗ୍ରେସ ଘୋଷଣା କଲା ନିର୍ବାଚନୀ ଇସ୍ତାହାର । ଦେଲା ୨୫ ଗ୍ୟାରେଣ୍ଟି, ୫ ନ୍ୟାୟ ପ୍ରତିଶ୍ରୁତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ‘ନ୍ୟାୟ ପତ୍ର’ ନାଁରେ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଏହି ଇସ୍ତାହାର ଅନୁସାରେ ଘୋଷଣାପତ୍ରରେ ଦଳ ୫ ନ୍ୟାୟ – ‘ ଭାଗିଦାରୀ ନ୍ୟାୟ’, କୃଷକ ନ୍ୟାୟ. ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବା ନ୍ୟାୟକୁ ସାମିଲ କରିଛି ।
କଂଗ୍ରେସ କହିଛି ଯେ, ଯଦି ଦଳ ଶାସନକୁ ଆସେ ତେବେ ଏସସି ଓ ଏସଟି ବର୍ଗଙ୍କ ସ୍ଥିତିକୁ ସଦୃଢ କରିବାକୁ ଦେଶରେ ଜାତି ଭିତ୍ତିକ ଜନଗଣନା କରାଇବ । ସମ୍ପୃକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଆଜେଣ୍ଡା ପ୍ରସ୍ତୁତ କରିବ ।ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ । କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।
ସେହିପରି ନାରୀ ନ୍ୟାୟରେ ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାନେଇ ଘୋଷଣାପତ୍ରରେ ଉଲ୍ଲେଖ ରହିଛି। ଭାଗିଦାରୀ ନ୍ୟାୟରେ ଜାତିଗତ ଜନଗଣନା ଏବଂ ସଂରକ୍ଷଣ ସୀମା ବଢାଇବାକୁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଯୁବା ନ୍ୟାୟରେ ୩୦ ଲକ୍ଷ ନିଯୁକ୍ତି ସହ ଟ୍ରେନିଂ ପାଇଁ ୧ ଲକ୍ଷ ଟଙ୍କା ଗ୍ୟାରେଣ୍ଟି ଦେଇଛି କଂଗ୍ରେସ। ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଭତ୍ତା ମାସିକ ୧ ହଜାରକୁ ବଢାଇବାକୁ କଂଗ୍ରେସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସର ଇସ୍ତାହାର ଦଳର ପାଂଚ ଜଣ ବିଚାରପତିଙ୍କୁ ଆଧାର କରି ପ୍ରସ୍ତୁତ ହୋଇଛି ।
ଇସ୍ତାହାର ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଘର ଘର ବୁଲି ଗ୍ୟାରେଂଟି ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସମଗ୍ର ଭାରତରେ ୮ କୋଟି ପରିବାରକୁ ୧୪ଟି ଭିନ୍ନ ଭିନ୍ନ ଭାଷାରେ ଛପାଯାଇଥିବା କାର୍ଡ ବାଂଟିବେ l