ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା । ଶଙ୍ଖ ଭବନରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।ଅନ୍ୟପଟେ ତାଙ୍କର ବିଜେଡିରେ ସାମିଲ ହେବା ଓ ବିଜେଡିରୁ ଟିକେଟ୍ ମିଳିବାକୁ ନେଇ କେନ୍ଦ୍ରାପଡାରେ ଲାଗିରହିଛି ଅସନ୍ତୋଷ । ଗଣେଶ୍ୱର ବେହେରା ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ । ଶତାଧିକ କର୍ମୀଙ୍କ ଏକ ଦସ୍ତଖତ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି । ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ କଂଗ୍ରେସ ଟିକେଟରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରୁ ୧୯୯୦ ଓ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାର ସଦସ୍ୟ ରହିଥିଲେ। ୨୦୦୦ ଓ ୨୦୦୪ରେ ସେ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ।
କଂଗ୍ରେସରୁ ଇସ୍ତଫା ଦେବା ପରେ ଗଣେଶ୍ୱର ବେହେରା କହିଥିଲେ, ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି। କଂଗ୍ରେସରେ ରହି ବିଧାନସଭା ଯିବା ନେଇ ଆଶଙ୍କା ସୃଷ୍ଟି ହେଲା। ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ଏହି ପଦକ୍ଷେପ ନେଲି।