ବିପ୍ଲବୀ ପରିକ୍ରମା ବ୍ୟୁରୋ :- କେଉଁଠୁ ଲଢିବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ? ଟୁଡୁଙ୍କ ଲୋକସଭା ଟିକେଟ କଟିବା ପରେ ସେ ବିଧାନସଭା ନିର୍ବାଚନ ଲଢିବା ନେଇ ଆଲୋଚନା ହେଉଛି । ବିଶେଷକରି ମୟୂରଭଞ୍ଜରେ ଘୋଷଣା ହୋଇନଥିବା ୩ଟି ବିଧାନସଭା ଆସନ ମଧ୍ୟରୁ କେଉଁ ଆସନରୁ ସେ ଲଢିବେ ତାକୁ ନେଇ ମୟୂରଭଞ୍ଜ ରାଜନୀତି ଉଷ୍ମ ହୋଇଛି ।ମୟୂରଭଞ୍ଜର ସାତଟି ବିଧାନଭା ଆସନରୁ ବିଜେପି ପ୍ରାର୍ଥୀ ଘୋଷଣା ସରିଛି । କିନ୍ତୁ ଏବେ ବି ସାରସକଣା, ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗଣିତ ଛିଡୁନି । କାହାକୁ ଟିକେଟ ଦିଆଯିବ, କାହାର ଟିକେଟ କଟିବ ତାକୁ ନେଇ ବିଜେପି ନେତୃତ୍ୱ ଦ୍ୱନ୍ଦ୍ୱରେ ପଡିଛନ୍ତି । ବିଶେଷକରି ସାରସକଣା ବିଧାନସଭା ଆସନ ଚର୍ଚ୍ଚାରେ ରହିଛି । ଉଦଳା, ବାରିପଦା ଓ ମୋରଡାରେ ବିଧାୟକଙ୍କୁ ରିପିଟ କରାଯାଇଥିବାବେଳେ ସାରସକଣାରେ ବିଜେପି ବିଧାୟକ ବୁଧାନ ମୁର୍ମୁ ଥିବା ସତ୍ତେ୍ୱ ତାଙ୍କ ନାଁ ଏ ଯାଏଁ ଘୋଷଣା ହୋଇନାହିଁ ।
ତେଣୁ ଏଠାରେ କଣ ଘଟିବ ତାକୁ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢିଯାଇଛି ।ଚର୍ଚ୍ଚା ହେଉଛି, ସାରସକଣା କିମ୍ବା ବାଙ୍ଗିରିପୋଷିରୁ ନିର୍ବାଚନ ଲଢିପାରନ୍ତି ବିଶ୍ୱେଶ୍ୱର ଟୁଡୁ । ୨୦୧୯ରେ ମୟୂରଭଞ୍ଜ ଲୋକସଭା ଆସନରୁ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ ବିଶ୍ୱେଶ୍ୱର । କିନ୍ତୁ ଏଥର ତାଙ୍କ ଟିକେଟ କଟିଛି । ଆଉ ତାଙ୍କୁ ବିଧାନସଭା ଟିକେଟ ଦିଆଯିବା ନେଇ ଚର୍ଚ୍ଚା ବଢିଛି । ତେବେ ତାଙ୍କୁ ସାରସକଣା କିମ୍ବା ବାଙ୍ଗିରିପୋଷିରୁ ଟିକେଟ ମିଳିବା ଚର୍ଚ୍ଚା ହେଉଥିବାବେଳେ ସାନ୍ତାଳୀ କବି ଦମୟନ୍ତୀ ବେଶ୍ରାଙ୍କୁ ରାଇରଙ୍ଗପୁରରୁ ପ୍ରାର୍ଥୀ କରିପାରେ ବିଜେପି । ଯଦି ଏଭଳି ହୁଏ ତେବେ ବୁଧାନ ମୁର୍ମୁଙ୍କ ଭବିଷ୍ୟତ କଣ ହେବ , ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୯ରେ ବିଜେପି ଜିତିଥିବା ୨୨ ବିଧାୟକଙ୍କ ମଧ୍ୟରୁ ଏ ଯାଏଁ ୧୭ ବିଧାୟକଙ୍କୁ ରିପିଟ କରିଛି ଦଳ । ରାଇରଙ୍ଗପୁର ବିଧାୟକ ନବଚରଣ ମାଝି ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ବ୍ରହ୍ମଗିରି ଆସନରେ ଲଳିତେନ୍ଦୁ ମହାପାତ୍ରଙ୍କ ସ୍ଥାନରେ ତାଙ୍କ ଝିଆରି ଉପାସନା ମହାପାତ୍ରଙ୍କୁ ଟିକେଟ ମିଳିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳ ଛାଡିସାରିଛନ୍ତି । ବ୍ୟକ୍ତିଗତ କାରଣରୁ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଲଢିବାକୁ ମନା କରିଛନ୍ତି । ତେଣୁ ବିଜେପିର ଆଗାମୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି ।