ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ମାଓ ଗତିବିଧି ସହ ନିର୍ବାଚନ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ପ୍ରଥମେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଗୋରାସେତୁ ବି.ଏସ.ଏଫ କ୍ୟାମ୍ପ ଗସ୍ତ କରି ମାଓବାଦୀଙ୍କ ଗତିବିଧି ଓ ଏହାର ମୁକାବିଲା ସହ ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ସଙ୍ଗେ ସଙ୍ଗେ କୁାମ୍ବିଂ ଅପରେସନ ନେଇ ବି.ଏସ.ଏଫ ଓ ଏସ.ଓ.ଜି ଜବାନଙ୍କ ସହିତ ଆଲୋଚନା କରିଥିଲେ । ପରେ ମାଲକାନଗିରି ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନଙ୍କ ସହ ମାଓବାଦୀ ସ୍ଥିତିର ସମୀକ୍ଷା ସହ ଆଗାମୀ ନିର୍ବାଚନ କିଭଳି ନିରପେକ୍ଷ, ମୁକ୍ତ ଓ ଅବାଧ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆରକ୍ଷୀ ଅଧିକ୍ଷକମାନେ ମଧ୍ୟ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ ।
ଏଥିସହ କେତେ ଫୋର୍ସର ଆବଶ୍ୟକତା ରହିଛି ଓ କିଭଳି ଅପରେସନ କରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବର୍ତମାନ ମାଓବାଦୀ କମିଟି ଦ୍ୱାରା ମାଓବାଦୀମାନଙ୍କୁ ଛତିଶଗଡ଼ ରାଜ୍ୟକୁ ସ୍ଥାନାନ୍ତରୀତ କରାଯାଇଛି । ବର୍ତମାନ ପରିସ୍ଥିତିରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ନାହିଁ । ତେଣୁ ମାଲକାନଗିରି ଜିଲ୍ଲାରେ କୌଣସି ପ୍ରକାରର ମାଓ କାର୍ଯ୍ୟକଳାପ ଦେଖାଯାଇନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲା ପୋଡ଼ଶୀ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଥିବା ବେଳେ ମାଲକାନଗିରି ଜିଲ୍ଲାରେ ମେ ୧୩ ତାରିଖରେ ଅଛି । ତେଣୁ ଏହି ସମୟ ମଧ୍ୟରେ ମାଓବାଦୀମାନେ ଓଡ଼ିଶାକୁ ଆସିବାକୁ ପ୍ରଚେଷ୍ଟା କରିପାରନ୍ତି ।
ତେଣୁ ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅପରେସନ ଜାରୀ ରଖିବୁ । ଆମର ଫୋର୍ସ ପ୍ରସ୍ତୁତ ଅଛନ୍ତି , ଅପରେସନ ପ୍ଲାନ ପ୍ରସ୍ତୁତ ହୋଇଛି । ତେଣୁ ସମସ୍ତ ଆରକ୍ଷୀ ଅଧିକ୍ଷକମାନେ ମଧ୍ୟ ମାଓବାଦୀଙ୍କୁ ପ୍ରତିହତ କରିବାକୁ ପ୍ରସ୍ତୁତ ଅଛନ୍ତି ସେ କହିଛନ୍ତି । ମାଓବାଦୀ ଏକ ସମସ୍ୟା । ତେଣୁ ସମସ୍ତଙ୍କର ସହଯୋଗରେ ଆମେ ମାଓବାଦୀଙ୍କୁ ମୁକାବିଲା କରିପାରିବୁ । ସ୍ୱାଭିମାନ ଅଂଚଳକୁ ଆନ୍ଧ୍ର ପ୍ରଦେଶରୁ କିଛି ମାଓବାଦୀ ଚଳପ୍ରଚଳ କରୁଥିବା ନେଇ ଆଲୋଚନା ହୋଇଥିଲା । ସଂପୃକ୍ତ ଅଂଚଳକୁ କାବୁ କରି କିଭଳି ଆମେ ପ୍ରତିହତ କରିବୁ , ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ପୂର୍ବରୁ ସୁରକ୍ଷାକର୍ମିଙ୍କ କ୍ୟାମ୍ପ ପାଖାପାଖି ବୁଥ ହେଉଥିଲା ।
କିନ୍ତୁ ପ୍ରଥମ ଥର କରି ଚଳିତ ସାଧାରଣ ନିର୍ବାଚନରେ ସମସ୍ତ ଗ୍ରାମରେ ବୁଥ କରାଯାଇଛି । ଭୋଟରମାନେ ନିଜ ନିଜର ବୁଥକୁ ଯାଇ ଭୋଟ ଦେଇପାରିବେ ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶି, ଏ.ଡି.ଜି ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଏ.ଡି.ଜି ଅପରେସନ ଏସ.ଦେବଦତ ସିଂହ, ଏସ.ଆଇ.ଡବ୍ଲ୍ୟ ଡି.ଆଇ.ଜି କନୱର ବିଶାଲ ସିଂହ, ଦକ୍ଷିଣ ପଶ୍ଚିମାଂଚଳ ଡି.ଆଇ.ଜି ଚରଣ ସିଂହ ମୀନାଙ୍କ ସମେତ ୪ ଟି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ବି.ଏସ.ଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।