ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଦେଶରେ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ। ଏଥିସହ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ ।
ଏଥିପାଇଁ ୧୮ ଲକ୍ଷ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ପୋଲିଂ କାର୍ଯ୍ୟରେ ୪୧ ହେଲିକେପ୍ଟର, ୮୪ ସ୍ୱତନ୍ତ୍ର ଟ୍ରେନ ଏବଂ ୧ ଲକ୍ଷ କାର ନିଯୁକ୍ତ କରାଯାଇଛି ।ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସାଢେ ତିନି କୋଟିରୁ ଅଧିକ ଯୁବ ଭୋଟର ଏଥର ମତଦାନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । ୧୦୨ ଲୋକସଭା ଆସନରେ ହେବାକୁ ଥିବା ମତଦାନରେ ତାମିଲନାଡୁର ସର୍ବାଧିକ ୩୯ ଆସନ ରହିଛି । ରାଜସ୍ଥାନର ୧୨, ୟୁପିର ୮, ଉତରାଖଣ୍ଡର ୫, ବିହାରର ୪, ଆସାମର ୪, ମଧ୍ୟପ୍ରଦେଶର ୬, ଅରୁଣାଚଳ ପ୍ରଦେଶର ୨ ଆସନରେ ଭୋଟ୍ ଗ୍ରହଣ ହେବ ।
ସେହିପରି ପଶ୍ଚିମବଙ୍ଗର ୩, ମହାରାଷ୍ଟ୍ରର ୫ ଏବଂ ଛତିଶଗଡ଼, ତ୍ରିପୁରା, ଜମ୍ମୁ-କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦୀପ ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଆସନରେ ଭୋଟ୍ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ ୮ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ, ଜିତେନ୍ଦ୍ର ସିଂହ, ଚିରାଗ ପାଶୱାନ, ନକୁଲ ନାଥ, କେ ଆନ୍ନାମଲାଇ, ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ, କାନିମୋଝି ଏବଂ ଜିତିନ ପ୍ରସାଦ ପ୍ରମୁଖ ରହିଛନ୍ତି ।