କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଜେଡି ର ଗଡ ଭାବେ ପରିଚିତ । ସ୍ବର୍ଗତ ମନ୍ତ୍ରୀ ରଘୁନାଥ ହେମ୍ବ୍ରମଙ୍କ ସମୟରୁ ଏଠାରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି । ତେଣୁ ବିଜେଡି ଦଳରେ ଚଳିତ ନିର୍ବାଚନ ପୂର୍ବରୁ ମଧ୍ୟ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଥିଲା ।ତେବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ହେଉଥିବାରୁ ସାଧାରଣରେ ନାନା ଆଲୋଚନା ଓ ସମଲୋଚନା ହେଉଥିଲା । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନାମ ଘୋଷଣା କରିବା ପରେ କର୍ମକର୍ତ୍ତା ମାନେ ବାଣ ଫୁଟାଇବା ସହିତ ଉତ୍ସବ ମନାଇଛନ୍ତି।
ଗତ ନିର୍ବାଚନରେ ସ୍ବର୍ଗତ ମନ୍ତ୍ରୀ ରଘୁନାଥ ହେମ୍ବ୍ରମଙ୍କ ପୁତ୍ରବଧୂ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ହେମ୍ବ୍ରମଙ୍କୁ ପ୍ରଥମ ଥର ପାଇଁ ବିଜୁଜନତା ଦଳର ଟିକେଟ ମିଳିଥିଲା । ସେ ମଧ୍ୟ ଭଲ ପ୍ରଦର୍ଶନ କରି ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପଦ୍ମ ଚରଣ ହାଇବୃଙ୍କୁ ହରାଇ ବିଧାୟିକା ଭାବେ ନିର୍ବାଚିତ ଓ ପରେ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ଭଳି ଗୁରୁତ୍ୱପୂ୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ଯୁବ ଓ ମହିଳା ସଂଗଠନକୁ ମଜବୁତ୍ କରିବା ସହିତ ସାରା ରାଜ୍ୟରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଚଳିତ ନିର୍ବାଚନ ରେ ବିଜେଡି ଦଳ ମହିଳା ପ୍ରାର୍ଥୀ ଦେଇ ଅନ୍ୟ ଦଳ ମାନଙ୍କ ଠାରୁ ଗୋଟିଏ ପାଦ ଆଗରେ ରହିଥିବା ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଯୁବ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ ଓ ବିଜେପି ପକ୍ଷରୁ ଗତ ନିର୍ବାଚନରେ ପରାଜୟବରଣ କରିଥିବା ପଦ୍ମଚରଣ ହାଇବୃ ନିର୍ବାଚନ ମଇଦାନରେ ରହିଛନ୍ତି । ତେବେ ବର୍ତମାନ ପୁନର୍ବାର ବାସନ୍ତୀ ହେମ୍ବ୍ରମ ଙ୍କୁ ଟିକେଟ ମିଳିବା ପରେ କରଞ୍ଜିଆ ରାଜନୀତି ସର୍ଗମ ହେବାରେ ଲାଗିଛି l