ବିପ୍ଲବୀ ପରିକ୍ରମା ବ୍ୟୁରୋ :- ହାତ ଛାଡିଲେ ପ୍ରବୋଧ ତିର୍କୀ। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମେ ପ୍ରବୋଧଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ଏହାପରେ ପୁଣିଥରେ ଦଳ ତଲସରା ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ।
ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ହକି ତାରକା ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଥିଲା । ନାଁ ଘୋଷଣା ପରେ ତଲସରାରେ ପ୍ରଚାର ମଧ୍ୟ କରିଥିଲେ ପ୍ରବୋଧ । କିନ୍ତୁ ହଠାତ୍ ଆଶ୍ଚର୍ଯ୍ୟଜନକ ଭାବେ ପ୍ରବୋଧଙ୍କ ଟିକେଟ୍ କାଟି ଦେଇଥିଲା କଂଗ୍ରେସ । ତାଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିତରିଆଙ୍କୁ ଟିକେଟ୍ ଦେଇଥିଲା । କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ପୁଣି ଟିକେଟ୍ କାଟିବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ ।
ଯାହାଫଳରେ ଗତକାଲି ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଆଗକୁ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି ।ଗତବର୍ଷ ସେପ୍ଟେମ୍ବର ମାସରେ ଚାକିରି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ପ୍ରବୋଧ ତିର୍କୀ। ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରବୋଧ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ମୋତେ ଭଲ, ତେଣୁ ମୁଁ କଂଗ୍ରେସରେ ସାମିଲ ହେବାକୁ ଚିନ୍ତା କରିଥିଲି ବୋଲି ସେ କହିଥିଲେ ।