ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରଥମେ ସୀମାରାଣୀ ପରେ ରାସେଶ୍ୱରୀ। ପ୍ରତିଦିନ ଦଳ ଛାଡୁଛନ୍ତି ବିଜେଡି ନେତା। ସବୁ ନିର୍ବାଚନ ଅପେକ୍ଷା ୨୪ରେ ବିଜେଡିରେ ସୀମା ଟପିଛି ବିଦ୍ରୋହ। ମ୍ୟାନେଜ୍ ହେବାକୁ ନାରାଜ ଅସନ୍ତୁଷ୍ଟ, ଆଉ କାମ କରୁନି ନବୀନ ଟ୍ରଷ୍ଟ। ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ଦେବା ମହଙ୍ଗା ପଡ଼ିଛି। ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କରିଛନ୍ତି ସୀମାରାଣୀ।ଏପରିକି ଗଣମାଧ୍ୟମକୁ ପ୍ରତିକ୍ରିୟା ବେଳେ କାନ୍ଦ କାନ୍ଦ ହୋଇ ଯାଇଥିଲେ। ଏହା ସହ ଟିକେଟ କଟିବା ପଛରେ ଖଣି ଲବି ଆଡ଼କୁ ବି ଇଙ୍ଗିତ କରିଛନ୍ତି ସୀମାରାଣୀ। ସେହିପରି ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବି ଆଜି ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଛନ୍ତି। ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ଏତେ ମାତ୍ରାରେ ନେତା ଦଳ ଛାଡୁଛନ୍ତି। ସୀମାରାଣୀଙ୍କ ବାଦ୍ ଆଉ ୪ ସିଟିଂ ବିଧାୟକ ବିଜେଡି ଛାଡିଛନ୍ତି।
ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ,ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଆଠମଲ୍ଲିକ ବିଧାୟକ ରମେଶ ସାଏ ବିଜେପିରେ ମିଶିଥିବା ବେଳେ ସୋର ବିଧାୟକ ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇଛନ୍ତି। ଖାଲି ବିଧାୟକ ନୁହେଁ ବିଜେଡି ଛାଡିଥିବା ପୂର୍ବତନ ବିଧାୟକଙ୍କ ତାଲିକା ବି ବେଶ ଲମ୍ବା। ଯେମିତି ସିପ୍ରା ମଲ୍ଲିକ, ଆକାଶ ଦାସ ନାୟକ, ପ୍ରିୟଦର୍ଶୀ ମିଶ୍ର, ଦେବାଶିଶ ନାୟକ, ନବୀନ ନନ୍ଦ, ଭାଦବ ହାଁସଦା, ବେଦବ୍ୟାସ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁବର୍ଣ୍ଣ ନାୟକ,କୈଳାସ କୁଲେସିକା, ଡମ୍ବୁରୁ ଶିଶା, ବଳଭଦ୍ର ମାଝୀଙ୍କ ପରି ବହୁ ପୂର୍ବତନ ବିଧାୟକ। ଖାଲି ବିଧାୟକ ନୁହନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟ ବିଜେଡି ଛାଡି ବିଜେପିରେ ମିଶିଛନ୍ତି।
ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ପ୍ରଭାସ ସିଂ ମଧ୍ୟ ବିଜେଡି ଛାଡି ଏବେ ପଦ୍ମ ଶିବିରରେ।ଏଠି ପ୍ରଶ୍ନ କାହିଁକି ଏତେ ମାତ୍ରାରେ ନେତା ଛାଡୁଛନ୍ତି ବିଜେଡି ହାତ । ମ୍ୟାନେଜ କରିବାରେ କାହିଁକି ବିଫଳ ହେଉଛି ଦଳ। କାମ କରୁନି କି ନବୀନ ଟ୍ରଷ୍ଟ ? ବଡ଼ କଥା ହେଲା ଦଳ ଛାଡି ନଥିଲେ ବି ଅନେକ ନେତା ଦଳ ଭିତରେ ରହି ବି ଅସନ୍ତୁଷ୍ଟ ଅଛନ୍ତି। ଟିକେଟ କଟିବା ପରେ ଆଜି ସମର୍ଥକଙ୍କ ସହ ବୈଠକ କରିଛନ୍ତି ଅସନ୍ତୁଷ୍ଟ ବରୀ ବିଧାୟିକା ସୁନନ୍ଦା ଦାସ। ସେହିପରି ବଡ଼ଚଣା ବିଧାୟକ ଅମର ଶତପଥୀ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ହେଭିୱେଟ ପ୍ରସନ୍ନ ପାଟ୍ଟଶାଣୀ ବି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି।