ଭୁବନେଶ୍ବର ( ବିପ୍ଲବୀ ପରିକ୍ରମା ):- ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ। ସ୍ୱତନ୍ତ୍ର ଓଡ଼ିଶା ନିର୍ମାଣରେ ମଧୁ ବାବୁଙ୍କ ରହିଥିଲା ପ୍ରମୁଖ ଭୂମିକା। ରାଜ୍ୟର ପ୍ରଥମ ବାରିଷ୍ଠର ଭାବେ ମଧ୍ୟ ଦେଶ ବିଦେଶରେ ବେଶ ନାଁ କରିଥିଲେ ମଧୁ ବାବୁ। ୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ ସେ କଟକର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ।ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ଥିଲେ। ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର। ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଓ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ।
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ। ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାର ମୋଚିମାନଙ୍କୁ ଚାକିରି ଯୋଗାଇ ଦେବା ପାଇଁ ତଥା ଚମଡ଼ାଶିଳ୍ପର ବିକାଶ ନିମନ୍ତେ ଉତ୍କଳ ଟ୍ୟାନେରି ଓ ଓ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ l
ତେବେ ଆଜି ସେହି ମହାନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ । ଆଧୁନିକ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା, ଓଡ଼ିଆ ଜାତିର କୁଳବୁଦ୍ଧ ମଧୁ ବାବୁ ଥିଲେ ଆମ ରାଜ୍ୟର ପ୍ରଥମ ଓକିଲ । ତେଣୁ ସେ ମଧୁ ବାରିଷ୍ଟର ଭାବରେ ପରିଚିତ । ଆଜି ମଧୁବାବୁଙ୍କ ଜନ୍ମଉତ୍ସବ ପାଇଁ ଚଳଚଞ୍ଚଳ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଧୁବାବୁଙ୍କ ପୀଠକୁ ପର୍ଯ୍ୟଟନ କ୍ଷେତ୍ରଭାବେ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର। ସେହିପରି ମଧୁବାବୁଙ୍କ ପୀଠରେ ନିର୍ମିତ ହୋଇଛି ଏକ ସଂଗ୍ରହାଳୟ। ଏହି ସଂଗ୍ରହାଳୟରେ ସ୍ଥାନ ପାଇଛି ମଧୁବାବୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ମଧୁବାବୁଙ୍କ ତୈଳଚିତ୍ର ।