ଆରମ୍ଭ ହେଲା ଭୋଟିଂ, ଭୋଟ ଦେଲେ ମୋଦି-ଶାହ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେଲା ଭୋଟିଂ । ମକଡ୍ରିଲ ଶେଷ ହେବା ପରେ ସକାଳ 7ଟାରୁ ସାଧାରଣ ଭୋଟିଂ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହ ପହଞ୍ଚି ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ବିଭିନ୍ନ ରାଜ୍ୟରେ ବିଭିନ୍ନ ଦଳର ବହୁ ହେବିଓ୍ବେଟ ପ୍ରାର୍ଥୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ମଧ୍ୟ ଭୋଟିଂ ପାଇଁ ସେମାନଙ୍କ ବୁଥରେ ପହଞ୍ଚିଥିବାର ଦୃଶ୍ୟ ଗଣମାଧ୍ୟମରେ ଆସିବାରେ ଲାଗିଛି ।କର୍ଣ୍ଣାଟକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟାଦ୍ଦିରୁପ୍ପା ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ଚଳିତଥର ଭାରତୀୟ ଜନତା ପାର୍ଟି 28ରୁ ପ୍ରାୟ 25 ଆସନ ଜିତିବାକୁ ଯାଉଥିବା ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ଶିବରାଜ ସିଂ ଚୌହାନ ମଧ୍ୟ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି । ଘରେ ପୁଜାପାଠ କରିବା ପରେ ମତଦାନ କେନ୍ଦ୍ର ଅଭିମୁଖେ ବାହାରିଥିବା ଶିବରାଜ ବହୁସଂଖ୍ୟାରେ ଲୋକଙ୍କୁ ଭୋଟ ଦେବା ପାଇଁ ଗଣମାଧ୍ୟମରେ ମଧ୍ୟ ଅନୁରୋଧ କରିଛନ୍ତି ।

ସେହିପରି ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ମଧ୍ୟ ଭୋଟ ଦେଇଛନ୍ତି ।ସକାଳୁ ଭୋଟିଂ ଆରମ୍ଭ ହେବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ସକାଳୁ ମତାଦନ କେନ୍ଦ୍ର ଆଗରେ ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳିଛି । ସମ୍ବେଦନଶୀଳ ସ୍ଥାନ ତଥା ପୂର୍ବରୁ ହିଂସାର ରେକର୍ଡ ଥିବା ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ସଂଧ୍ୟା 5ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ହେଉଥିବା ବେଳେ ଜୁନ ପହିଲାରେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ଶେଷ ହେବ । 4 ତାରିଖରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ବିଶ୍ବର ସର୍ବବୃହତ୍ତ ଗଣତନ୍ତ୍ର ଭାରତର ଏହି ଜନାଦେଶ ଉପରେ ସମଗ୍ର ବିଶ୍ବର ନଜର ରହିଛି ।

LEAVE A REPLY

Please enter your comment!
Please enter your name here