ବିପ୍ଲବୀ ପରିକ୍ରମା ବ୍ୟୁରୋ :-ନିର୍ବାଚନରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏକ ସାଧାରଣ କଥା । ହେଲେ ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୟାନକୁ ନେଇ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳେ ତାହା ରାଜନୀତିରେ ହଇଚଇ ସୃଷ୍ଟି କରେ । ଏହି କ୍ରମରେ ଆଜି କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ ତାହାର ଜବାବ ରଖିଛନ୍ତି ନବୀନ ପଟ୍ଟନାୟକ ।ପ୍ରାୟ ୩ ମିନିଟ୍ର ଏକ ଭିଡିଓ ସେୟାର କରି ସେ କହିଛନ୍ତି ‘ମୋର କ’ଣ ମନେ ଅଛି କି ନାହିଁ, ଓଡ଼ିଶାବାସୀ ୨୪ ବର୍ଷ ହେଲା ଭଲଭାବେ ଜାଣିଛନ୍ତି। କିନ୍ତୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେରଖିଛନ୍ତି । ଓଡ଼ିଆ ଭାଷା, ଶାସ୍ତ୍ରିୟ ଭାଷା ହେଲା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲିଗଲେ । ଆପଣ ଓଡ଼ିଶୀ ସଂଗୀତକୁ ଭୁଲିଗଲେ । ମୁଁ ଓଡ଼ିଶୀ ମ୍ୟୁଜିକକୁ କ୍ଳାସିକାଲ ମାନ୍ୟତା ପାଇଁ ମୁଁ ୨ ଥର ପ୍ରପୋଜାଲ ପଠାଇଥିଲି । ଆପଣ ୨ ଥର ରିଜେକ୍ଟ କଲେ। ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। କେତେ ନାଁ ଆଜି ଆପଣ ବି କହିଲେ’।
ସେ ଆହୁରି କହିଛନ୍ତି ‘କେହି ଜଣେ ହେଲେ ବି ଭାରତରତ୍ନ ପାଇଁ ଠିକ୍ ଲାଗିଲେ ନାହିଁ କି ? ଆପଣ ଭାରତ ରତ୍ନ ବାଣ୍ଟିଲାବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ବି ଭୁଲିଗଲେ ? ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖିକି କୋଷ୍ଟାଲ୍ ହାଇୱେ କରିବାର ଥିଲା। ସେଇଟା ବି ଭୁଲିଗଲେ। ଓଡ଼ିଶାର ସଂପଦ କୋଇଲା। କୋଇଲା ଆପଣ ନେଉଛନ୍ତି, ରୟାଲଟି ବଢ଼ାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ ? କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେପକାଇଲେ କିଛି ଲାଭ ନାହିଁ। ଜୁନ୍ ୧୦ରେ ତ ନୁହେଁ, ଆଉ ୧୦ ବର୍ଷ ଯାଏଁ ବି ବିଜେପି ଓଡ଼ିଶା ଲୋକଙ୍କର ହୃଦୟ ଜିତିପାରିବ ନାହିଁ। ମହାପ୍ରଭୁଙ୍କ ଆଶିର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜୁ ଜନତା ଦଳ ଷଷ୍ଠଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ’ ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ କହିଛନ୍ତି l
ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜେଡି ସରକାରକୁ କିଏ ଚଳାଉଛି ବୋଲି ପ୍ରଶ୍ନ କରିବା ସହ ଏଠି ସିଏମ୍ଙ୍କ ଉପରେ ଜଣେ ସୁପର ସିଏମ୍ ଥିବା କହିଥିଲେ। ଏମିତିକି ବିଜେଡି ସରକାରର ଏକ୍ସପାଏରି ଡେଟ୍ ଆସିଯାଇଥିବା ଓ ଏ ସରକାର ଯିବାର କାଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା କହିଥିଲେ ପ୍ରଧାନମନ୍ତ୍ରୀ।