ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପିରୁ ବିଦା ହେଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନକୁ ଭଙ୍ଗ କରିଥିବା କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବରିଷ୍ଠ ବିଜେପି ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦଳରୁ ବହିଷ୍କୃତ କରିଥିବା ନେଇ ବିଜେପି ରାଜ୍ୟ ମିଡିଆ ସେଲ ସୂଚନା ଦେଇଛି । ବିଜୟଙ୍କ ସହ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନଙ୍କୁ ମଧ୍ୟ ଦଳ ବହିଷ୍କାର କରିଥିବା ସୂଚନା ଦିଆଯାଇଛି । ଟିକଟ ନମିଳିବାରୁ ଶାରଦା ଚଳିତ ନିର୍ବାଚନରେ ମାହାଙ୍ଗାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହା ସହିତ ଦଳର ଏସ୍ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଜେଶ ମଲ୍ଲିକଙ୍କୁ ମଧ୍ୟ ବହିଷ୍କାର କରିଛି ବିଜେପି l
ତେବେ ୨୦୦୯, ୨୦୧୪ ଓ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବିଜୟ ମହାପାତ୍ର ବିଜେପି ଟିକଟରୁ ଦୁଇଥର ପାଟକୁରା ଓ ଥରେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିର ପ୍ରତିଦ୍ବନ୍ଦ୍ବୀ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ୨୦୦୦ ମସିହାରୁ ବିଧାନସଭା ମାଡିବା ପାଇଁ ସମ୍ଭବ କରାଇନଥିଲେ ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ପାଟକୁରାରୁ ପ୍ରାର୍ଥୀ କରିଥିବାବେଳେ ବିଜୟ ବହୁ ସ୍ଥାନରେ ପୁଅ ପାଇଁ ପ୍ରଚାର କରୁଥିବା ଦୃଶ୍ୟ ନଜରକୁ ଆସିଥିଲା । ବିଜେଡି ବ୍ୟାନର ଥିବା ମଞ୍ଚ ଉପରକୁ ନଯାଇ ମଞ୍ଚ ତଳେ ବିଜୟ ମହାପାତ୍ର ଉଭୟ ବିଧାୟକ ପ୍ରାର୍ଥୀ ପୁଅ ଅରବିନ୍ଦ ଓ ଲୋକସଭା ପ୍ରାର୍ଥୀ ଅଂଶୁମାନଙ୍କୁ ଆଶୀର୍ବାଦ ଦେବା ସହ ବିଜେଡି ପାଇଁ ପ୍ରଚାର କରୁଥିବା ବିଷୟ ଜାଣିବା ପରେ ବିଜେପି ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।