ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।ସୂଚନା ଅନୁସାରେ ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ । ତେବେ ଏହାର ଚାରି ଦିନ ପରେ ଅର୍ଥାତ ମେ’ ୧୦ରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବା ପରେ ୧୧ରେ ତିନୋଟି ବିଶାଳ ଜନସଭା କରିଥିଲେ ।
କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭାରେ ସମ୍ବୋଧିତ କରିଥିଲେ ମୋଦି ।ଏହାପରେ ମେ’ ୧୯ରେ ପୁଣି ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ । ୧୯ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ଦଳୀୟ କର୍ମକର୍ତ୍ତାଙ୍କୁ ସେ ଭେଟିଥିଲେ । ଏହାପରେ ୨୦ ତାରିଖ ସକାଳୁ ସେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହାପରେ ପୁରୀ ବଡ଼ଦାଣ୍ଡରେ ବିରାଟ ରୋଡ୍ ସୋ’ କରିଥିଲେ ମୋଦି । ପୁରୀରେ ରୋଡ୍ ସୋ’ କରିବା ପରେ ଅନୁଗୁଳ ଯାଇ ସେଠାରେ ବିରାଟ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଅନୁଗୁଳ ପରେ କଟକରେ ମଧ୍ୟ ଏକ ବଡ଼ ଜନସଭାରେ ଯୋଗ ଦେଇ ବିଜେଡି ସରକାରକୁ ଧୁମ୍ ଧୁଲେଇ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।