ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଚଳିତ ନିର୍ବାଚନର ସବୁଠୁ ହାଇପ୍ରୋଫାଇଲ୍ ଲଢ଼େଇ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ହେବାକୁ ଯାଉଛି। ଶନିବାର ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଏବଂ ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବାବେଳେ କିଏ ବାଜି ମାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ଏହି ପର୍ଯ୍ୟାୟରେ ବିଜେପି ଓ ବିଜେଡିର ବହୁ ହେଭିୱେଟ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।
ମୋଟ୍ ୪୮ଟି ଆସନରେ ୪୮ଜଣ ନେତା ବଛା ହେବାକୁ ଥିଲେ ହେଁ ୪୪୭ଜଣ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ୬ଟି ଲୋକସଭା ଆସନ ପାଇଁ ୬୪ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ହେଲେ ସମ୍ବଲପୁର ଲୋକସଭା ଆସନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି। ଏଠାରେ ବିଜେପି ଓ ବିଜେଡି ସମ୍ମାନର ଲଢ଼େଇ ହେଉଥିବାରୁ ଦୁଇ ଦଳ ଏହି ଆସନଟି ହାତେଇବାକୁ କଳ, ବଳ, କୌଶଳ ସବୁ ଲଗାଇ ଦେଇଛନ୍ତି। କେବଳ ସମ୍ବଲପୁର ଲୋକସଭା ଆସନ ନୁହେଁ, ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ଲଢ଼େଇ ହେଉଛି।
ଏହି ୩ଟି ଆସନ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି। ଦୁଇ ଦଳର ଫୋକସ୍ରେ ଏହି ତିନିଟି ଆସନ ଥିବାରୁ କେହି କାହାକୁ ଟିକେ ବି ସୁଯୋଗ ଦେବା ମୁଡ୍ରେ ନାହାନ୍ତି। ଗତ ନିର୍ବାଚନରେ ଭୁବନେଶ୍ବରରେ କମ୍ ଭୋଟରେ ବିଜେପି ଏବଂ ପୁରୀରେ କମ୍ ଭୋଟ୍ରେ ବିଜେଡି ବାଜି ମାରିଥିବାରୁ ଦୁଇ ଦଳ ବାଜି ପଲଟାଇବା ଲକ୍ଷ୍ୟରେ ଅଛନ୍ତି। ତେଣୁ ଆସନ୍ତା ୨୫ତାରିଖରେ କିଏ ମତାଦାତାଙ୍କ ମନ ଜିଣୁଛି ତାହା ଜୁନ୍ ୪ତାରିଖରେ ଫଳ ବାହାରିଲେ ଜଣାପଡ଼ିବ। କିନ୍ତୁ ଜନତା ଜନାର୍ଦ୍ଦନଙ୍କ ମୁଡ୍କୁ ବଦଳାଇବାକୁ ଉଭୟ ଦଳ ଏବଂ ପ୍ରାର୍ଥୀ ସବୁ ଉଦ୍ୟମ ଲଗାଇ ଦେଇଛନ୍ତି।