ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଚାଲିଛି ଭୋଟ୍ ଗଣତି,ସଂଖ୍ୟା ଗଣିତରେ ଘଡିକେ ଘୋଡା ଛୁଟୁଛି । ସାପଶିଡିର ଏହି ସଂଖ୍ୟା ଖେଳ ଭିତରେ ଜଣେ ଆଗକୁ ଯାଉଛି ତ ଜଣେ ପଛରେ ରହୁଛି । ଏହି କ୍ରମରେ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିଜେଡି ସୁପ୍ରିମୋ କଣ୍ଟାବାଞ୍ଜିରେ ପଛରେ ରହିଛନ୍ତି । ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ପଛରେ ରହିଛନ୍ତି ନବୀନ ।ସେପଟେ ନିଜ ପାରମ୍ପରିକ ଆସନ ହିଞ୍ଜିଳିରେ ଆଗେଇ ଚାଲିଛନ୍ତି ନବୀନ ପଟ୍ଟନାୟକ ।
ବିଜେପିର ଶିଶିର ମିଶ୍ରଙ୍କ ଠାରୁ ଆଗରେ ରହିଛନ୍ତି ନବୀନ । ହିଞ୍ଜିଳି ନବୀନଙ୍କ ପାରମ୍ପରିକ ଆସନ ଥିବା ବେଳେ ସେଠୁ ସେ ଲଗାତାର ବିଜୟୀ ହୋଇ ଆସୁଛନ୍ତି ଆଉ ଏଥର କଣ୍ଟାବାଞ୍ଜିରୁ ନବୀନ ଲଢିଥିବା ବେଳେ ସେ ଆସନରେ ପଛରେ ରହିଛନ୍ତି । ଅନ୍ୟପଟେ ଓଡିଶାର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲରେ ଯାହା ଅନୁମାନ କରାଯାଉଥିଲା ତାହା ଧିରେ ଧିରେ ସତ ସାବ୍ୟସ୍ତ ହେଲା ଭଳି ଲାଗୁଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଓଡିଶାର ୨୧ ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ଚାଲିଥିବାବେଳେ, ଗୋଟିଏ ଆସନରେ ବିଜେଡି ଏବଂ ଅନ୍ୟ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ ଥିବାବେଳେ, ଯାଜପୁରରେ କେବଳ ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି । ଏହାବାଦ୍ ଅନ୍ୟ ସମସ୍ତ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।ଜାତୀୟ ସ୍ତରରେ ବିଜେପି ୨୯୬ ଆସନ ଦଖଲ କରିସାରିଥିବାବେଳେ କଂଗ୍ରେସ ବି ପୁରା ଦମରେ ଆଗେଇ ଚାଲିଛି । କଂଗ୍ରେସକୁ ଏବେଯାଏଁ ୨୨୮ଟି ଆସନ ମିଳିସାରିଛି । ଅନ୍ୟାନ୍ୟଙ୍କୁ ମିଳିଛି ୧୯ଟି ଆସନ ।