ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ । ନେତାଙ୍କୁ ଭୋଟ୍ ଦେଇ ଜିତାଇଥିବା ଭୋଟରମାନେ ମଧ୍ୟ ଚାହିଁ ବସିଛନ୍ତି କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଦିନକ ପରେ ଅର୍ଥାତ ଆସନ୍ତା ୧୦ ତାରିଖ ଦିନ ଓଡ଼ିଶାକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ । ଓଡ଼ିଶାର କେହି ଜଣେ ପୁଅ ବା ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆସନ ମିଳିବ ।
ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ଏଯାଏଁ ନିଷ୍ପତ୍ତି ହୋଇନି । ପାର୍ଲାମେଣ୍ଟାରି ବୋର୍ଡରେ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନିଆଯିବ । ଓଡିଶା ପାଇଁ କେନ୍ଦ୍ରୀୟ ସ୍ତରର ନେତା ନିଷ୍ପତ୍ତି ନେବେ ବୋଲି କହିଛନ୍ତି ମନମୋହନ । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଚୟନ ନେଇ ଓଡ଼ିଶାରୁ ବିଜେପି ନେତା ଦିଲ୍ଲୀ ଯାଇଥିଲେ । ଆଉ ଶନିବାର ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି, ୧୦ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ଆଉ ଓଡ଼ିଆ ପୁଅ କିମ୍ବା ଝିଅ ହିଁ ମୁଖ୍ୟମନ୍ତ୍ରୀ ହେବେ l