ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ । ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ ।
ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି ।ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି।
ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ସମାରୋହ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଦିଲ୍ଲୀ । ସିସିଟିଭି ନଜରରେ କର୍ତ୍ତବ୍ୟପଥ । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । ୬ ଜଣ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ବାଂଲାଦେଶ ସମେତ ଶ୍ରୀଲଙ୍କା ରାଷ୍ଟ୍ରପତି, ମାଳଦୀପ ରାଷ୍ଟ୍ରପତି, ନେପାଳ, ଭୁଟାନ ଓ ମରିସସ୍ ରାଷ୍ଟ୍ର ମୁଖ୍ୟ ଭାରତ ଆସୁଛନ୍ତି ।