ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନ୍ ଆଜି ରାଜନୀତି ଛାଡ଼ିଛନ୍ତି। ସେ ରାଜନୀତିରୁ ସନ୍ୟାସ ନେଇଥିବା ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସାଧାରଣ ନିର୍ବାଚନ-୨୦୨୪ରେ ବିଜୁ ଜନତା ଦଳ (ବିଜେଡି)ର ପରାଜୟ ପାଇଁ ସେ କ୍ଷମା ମାଗିଛନ୍ତି। ମୋ ବିରୋଧରେ ପ୍ରଚାର, ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ କ୍ଷମା ମାଗୁଛି। ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ରାଜନୀତିକୁ ଆସିଥିଲି ବୋଲି କହିଛନ୍ତି।ଶ୍ରୀ ପାଣ୍ଡିଆନ କହିଛନ୍ତି, ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାଯ୍ୟ କରିବାକୁ। ମୁଁ ଦଳର କୌଣସି ପଦବିରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି। ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡ଼ିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ।
ସେ ଆହୁରି ମଧ୍ୟ କହିଛନ୍ତି,ଚାକିରି କ୍ୟାରିୟର ଭିତରେ ମୋ ପୈତୃକ ସମ୍ପତ୍ତି ଛଡ଼ା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ।ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓ ଭି କେ ପାଣ୍ଡିଆନ୍ ଷ୍ଟାର ପ୍ରଚାରକ ଥିଲେ। ଉଭୟ ନେତା ନିର୍ବାଚନୀ ସଭା ହେଉ ବା ରୋଡ୍ ସୋ’ରେ ମତଦାତାଙ୍କୁ ଆକର୍ଷିତ କରୁଥିଲେ। କାର୍ତ୍ତିକ ପାଣ୍ଡିଆନ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଥିଲେ। ସେ କହିଥିଲେ ‘ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି’ ବୋଲି କହିଥିଲେ।